ଆସନ୍ତା ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସିବେ । ଏହି ସମୟରେ ସେ ସମ୍ବଲପୁରରେ ନବ ନିର୍ମିତ ଆଇଆଇଏମର ଉଦଘାଟନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ୍ କରିବେ । ଏହାକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଏହା ମଧ୍ୟରେ ଆସିଛି ଆଉ ଏକ ବଡ ଖବର । ରାଜ୍ୟ ବିଜେପିର ସୂତ୍ର ଅନୁଯାୟୀ, ଫେବୃଆରୀ ୧୦ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଆସି ପାରନ୍ତି ।
ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜଧାନୀରେ ଆୟୋଜିତ ହେବାକୁ ଥିବା ବିଶାଳ ମହିଳା ସମାବେଶରେ ଯୋଗ ଦେବେ । ଏହି ଦିନ ଦେଶର ୨ଟି ବଡ ସ୍ଥାନରେ ବଡ ମହିଳା ସମାବେଶ ଆୟୋଜନ ହେବ । ଏଥିରେ ମଧ୍ୟପ୍ରଦେଶ ଓ ଓଡିଶାରେ ଏହି ସମାବେଶ ଆୟୋଜନ ହେବ । ଭୁୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାର ମହିଳା ଏକାଠି ହେବେ । ଏହି ସମାବେଶ ଜରିଆରେ ବିଜେପି ମହିଳା ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିବାକୁ ଯୋଜନା ରଖିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଆସନ୍ତା ଫେବୃଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଏହି ଗସ୍ତ ପୂର୍ବରୁ ଡିସେମ୍ବର ୨୩ ତାରିଖରେ ହେବାରେ ଥିଲା । ବିଜେପି ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ରାଜ୍ୟ ଗସ୍ତ ପରିପ୍ରେକ୍ଷୀରେ ଆସନ୍ତା ୩ ତାରିଖରେ ସମ୍ବଲପୁର, ଝାରସୁଗୁଡା ଗସ୍ତ ଚୂଡାନ୍ତ ହୋଇଛି । ଏହି ଦିନ ସମ୍ବଲପୁର ଲୋକସଭା ଓ ଝାରସୁଗୁଡା ବରଗଡ ଲୋକସଭା କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ମୋଦୀଙ୍କ ଏହି ଗସ୍ତରୁ ଓଡିଶା ବିଜେପି ନିର୍ବାଚନ ପାଇଁ ରଣହୁଙ୍କାର ଦେବ । ମୋଦୀଙ୍କ ସମ୍ବଲପୁର ଗସ୍ତରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଲୋକସଭା ସିଟରୁ ନିର୍ବାଚନ ଲଢିବା ଚର୍ଚ୍ଚାକୁ ବଳ ଯୋଗାଇଛି ।
ଏହି ଗସ୍ତରେ ପିଏମ ମୋଦୀ ସମ୍ବଲପୁର ଆଇଆଇଏମ ନୂତନ କୋଠାର ଉଦଘାଟନ କରିବେ । ସମ୍ବଲପୁର ନେକଲସ ରୋଡ, ଝାରସୁଗୁଡା ଏଲଏଲସି ଥର୍ମାଲ ପ୍ରାୱାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଦଳୀୟସ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ପିଏମ ମୋଦୀଙ୍କ ଏହି ଗସ୍ତ ଓଡିଶା ରାଜନୀତି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତାଙ୍କର ଭାଷଣ ହିଁ ରାଜ୍ୟ ବିଜେପି ବିଜେଡି ବିରୋଧରେ କେଉଁ ରଣନୀତି ନେଇ ନିର୍ବାଚନ ଲଢିବ ତାର ଦିଗ ପ୍ରସ୍ତୁତ ହେବ । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ପଶ୍ଚିମ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୋକସଭା ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି ।