ଦିଲ୍ଲୀରେ ହେମନ୍ତ ସୋରେନଙ୍କ ବାସଭବନରେ ଇଡି ଚଢାଉ, ଜମି ଦୁର୍ନୀତି ମାମଲାରେ ବଢିଲା ଗିରଫଦାରୀ ଆଶଙ୍କା


ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମୁସ୍କିଲ ବଢିବାରେ ଲାଗିଛି । ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଦଳ ସୋମବାର ଦିଲ୍ଲୀରେ ସୋରେନଙ୍କ ବାସଭବନରେ ପହଂଚିଛିି । ଦକ୍ଷିଣ ଦିଲ୍ଲୀର ଶାନ୍ତି ନିକେତନ ସ୍ଥିତ ବାସଭବନରେ ଇଡି ଟିମ୍ ପହଂଚିବା ପରେ ମାହୋଲ ସରଗରମ ହୋଇ ଉଠିଛି । ଦିଲ୍ଲୀ ପୋଲିସ ପକ୍ଷରୁ ଅର୍ଦ୍ଧସାମରିକ ବଳର ମୁତୟନକୁ ଦେଖି ସୋରେନଙ୍କ ଗିରଫଦାରୀ ଆଶଙ୍କା ମଧ୍ୟ ବଢି ଯାଇଛି ।

ଏହା ସ୍ପଷ୍ଟ ହୋଇ ନାହିଁ ଯେ, ସୋରେନ ପଚରା ଉଚୁରା ପାଇଁ ଏଜେନ୍ସିକୁ ନିଜ ଆଡୁ ସମୟ ଦେଇଥିଲେ ନା ଇଡି ଟିମ୍ ଅଚାନକ ତାଙ୍କ ବାସଭବନରେ ଚଢାଉ କରିଛି । ଏହା ପୂର୍ବରୁ ଜାନୁଆରୀ ୨୦ରେ ରାଂଚିରେ ଇଡି ଟିମ୍ ସୋରେନଙ୍କ ବାସଭବନରେ ସାତ ଘଂଟାରୁ ଅଧିକ ସମୟ ପଚରାଉଚୁରା କରିଥିଲେ। ଇଡିର ଏହି ପଦକ୍ଷେପରେ ଶାସକ ଦଳ ଜେଏମଏମର କାର୍ଯ୍ୟକର୍ତା ଗତ ଅନେକ ଦିନରୁ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଂଚିରେ ସୋରେନଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ଉଲଲ୍ଲଖନୀୟ ଇଡି ଜାନୁଆରୀ ୨୨ରେ ସମନ ଜାରି କରି ଜାନୁଆରୀ ୨୭ରୁ ୩୧ ତାରିଖ ମଧ୍ୟରେ ପଚରା ଉଚୁରା ପାଇଁ ସୋରେନଙ୍କୁ ସମୟ ମାଗିଥିଲା । ପୁଣି ୨୫ ତାରିଖରେ ମେଲ୍ ଜରିଆରେ ପଚରା ଉଚୁରା ପାଇଁ ସମୟ ଦେବାକୁ କୁହାଯାଇଥିଲା । ଇଡି ପକ୍ଷରୁ ଏହା ମଧ୍ୟ କୁହାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ଯଦି ସମୟ ଦେଇ ପାରିବେ ନାହିଁ ତେବେ ତଦନ୍ତକାରୀ ଦଳ ତାଙ୍କ ବାସଭବନ ଯାଇ ପଚରାଉଚୁରା କରିବ ।