Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପପୁରେ ନନ୍ଦୋତ୍ସବ, ପୁତନାକୁ ଗୋପପୁର ପ୍ରେରଣ : ଷଷ୍ଠ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

କଳାହାଣ୍ଡି,୩୦/୦୧-ଲୀଳାମୟ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ବନ୍ଦୀଶାଳାରେ ଘଟିଛି ଅଲୌକିକ ଘଟଣାମାନ। ଦେବକୀ, ବସୁଦେବଙ୍କ ବନ୍ଧନମୁକ୍ତ ହୋଇଥିବାବେଳେ ଶୂନ୍ୟବାଣୀ ଶୁଣି ଗୋପପୁରକୁ ପ୍ରସ୍ଥାନ କରିଛନ୍ତି ନବଜାତ ଶ୍ରୀକୃଷ୍ଣଙ୍କୁ ନେଇ। ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ପ୍ରତ୍ୟକ୍ଷ କରିବା ପାଇଁ ବନ୍ୟାପାଣିରେ ଉଛୁଳା ଯମୁନା ନଦୀ ବାଟ ଛାଡିଦେଇଛି। ଫଳରେ ସୁରକ୍ଷିତ ଭାବେ ଗୋପପୁରରେ ପହଂଚି ଶ୍ରୀକୃଷ୍ଣଙ୍କୁ ଯଶୋଦାଙ୍କ କୋଳରେ ଶୁଆଇ ସେଠାରୁ ନବଜାତ ଶିଶୁକନ୍ୟାକୁ ନେଇ ଫେରି ଆସିଛନ୍ତି। ଇତିମଧ୍ୟରେ ସକାଳ ହେବା ପରେ ମଥୁରାଧିପତି କଂସ କାରାଗାର ପରିଦର୍ଶନ କରି ଶିଶୁକନ୍ୟାକୁ ଦର୍ପଣ ଶିଳାରେ କଚାଡିବାକୁ ବେଳକୁ ହାତରୁ ଖସିଯାଇ ଶିଶୁକନ୍ୟା ଉଗ୍ର ରୂପ ଧରି ଚେତାବନୀ ଦେବାପରେ ମୃତ୍ୟୁ ଭୟରେ ମ୍ରିୟମାଣ କଂସ ପୁତନା ରାକ୍ଷସୀକୁ ଗୋପପୁର ପ୍ରେରଣ କରିଛନ୍ତି। ଗୋପପୁରର ସମସ୍ତ ନବଜାତ ଶିଶୁଙ୍କୁ ହତ୍ୟା କରିବାକୁ ଦେଇଛନ୍ତି ଚରମ ଆଦେଶ। ମହାରାଜ କଂସଙ୍କ ଆଦେଶ ପାଇ ଗୋପପୁରକୁ ଯାଇଛି ପୁତନା ରାକ୍ଷସୀ। ଏହି ସମୟ ମଧ୍ୟରେ ଗୋପପୁରେ ରାଜା ନନ୍ଦ ଓ ଯଶୋଦାଙ୍କ ଘରେ ପୁତ୍ର ଜନ୍ମ ହେବା ଖୁସିରେ ଗୋପପୁର ପାଲଟିଛି ଉତ୍ସବମୟ। ଲୀଳାମୟ ଶ୍ରୀକୃଷ୍ଣଙ୍କ ଏହି ଅଭୁତପୂର୍ବ ବାଲ୍ୟଲୀଳା ଦେଖିବାକୁ ସ୍ବର୍ଗରେ ଦେବତା, ଗନ୍ଧର୍ବ ସମସ୍ତେ ଆନନ୍ଦରେ ଆତ୍ମହରା ହୋଇପଡିଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାରମାନଙ୍କ ଦମଦାର ଅଭିନୟ ହଜାର ହଜାର ଲୋକଙ୍କୁ ଅଭିଭୂତ କରିଥିଲା। ଆଜି ମହାରାଜ କଂସଙ୍କ ରାଜଦରବାରରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବନ ସଂରକ୍ଷକ ନରୋତ୍ତମ ମାଝୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ମହାବୀର କନଷ୍ଟ୍ରକ୍ସନର ତ୍ରିଲୋଚନ ମଲ୍ଲିକ, ବିଶ୍ବନାଥପୁର ସରପଞ୍ଚ ସୁରଥ ମାଝୀ, ଯୁବସମାଜସେବୀ ଗୁପ୍ତେଶ୍ବର ସାହୁ ପ୍ରମୁଖ ଯୋଗ ଦେଇଥିଲେ ! ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ମହାମନ୍ତ୍ରୀ ଶକ୍ରାଜିତ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ, ପୁତନା ଭୂମିକାରେ ବାସୁମତୀ ନନ୍ଦ, ବସୁଦେବ ଭୂମିକାରେ ଦୀପକ ପ୍ରଧାନ, ଉଗ୍ରସେନ ଭୂମିକାରେ ନୀଳାମ୍ବର ରାଉତ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ ଓ କିଶୋର କୁମାର ଘଡ଼େଇ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତରାମ ପ୍ରଧାନୀ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ବନବିହାରୀ ଦଳେଇଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଦ୍ବିତୀୟ ଦିନରେ ବାହୁବଳୀ ତପସ୍ୟା ଗଣନାଟ୍ୟ ପ୍ରଦର୍ଶିତ ହୋଇଥିଲା।