Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ନେତାମାନଙ୍କର କଣ ଜୀବନ ନାହିଁ, ଜଣେ ବାହାର ଲୋକଙ୍କୁ ବସାଇ ସରକାର ଚଳାଇଛନ୍ତି: ଖଡଗେ

ଭୁୁବନେଶ୍ୱର: ସୋମବାର କଂଗ୍ରେସର ଓଡିଶା ବଂଚାଅ ସମାବେଶ ଶେଷ ହୋଇଛି । ଏଥିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ କେବଳ ରାଜ୍ୟ କଂଗ୍ରେସ ଶିବିରକୁ ଉତ୍ସାହିତ କରି ନାହାନ୍ତି ବରଂ ଶାଣିତ ଶବ୍ଦରେ ରାଜ୍ୟରେ କ୍ଷମତାସୀନ ବିଜୁୁ ଜନତା ଦଳ ସରକାରଙ୍କୁ ସମାଲୋଚନା କରିଛନ୍ତି । ନାଁ ନ ନେଇ ପାଣ୍ଡିଆନଙ୍କ ପ୍ରତି ଅଙ୍କୁଳି ନିର୍ଦ୍ଦେଶ କରିଛନ୍ତି ଖଡ଼ଗେ। ଏହା ପୂର୍ବରୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱରେ ଥିବା ଅଜୟ କୁମାର ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ସାରିଛନ୍ତି ।

ଖଡଗେ କହିଛନ୍ତି ଗୋଟିଏ ଅଫିସରକୁ ବସାଇ ଏଠାରେ ସରକାର ଚାଲିଛି। ଏଠାରେ ନେତାମାନଙ୍କ କଣ ଜୀବନ ନାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଆପଣଙ୍କ ପାଖରେ କଣ ଲୋକ ନାହାନ୍ତି କି, ଯେ ବାହାରୁ ଲୋକ ଆଣିବାକୁ ପଡ଼ିଲା। ଗୋଟିଏ ଲୋକ ବାହାରୁ ଆସି ପରାମର୍ଶଦାତା ହୋଇଗଲେ। ଉକ୍ତ ତାମିଲନାଡୁ କ୍ୟାଡରର ଆଇଏଏସ ଏବେ ପରାମର୍ଶଦାତା ପାଲଟିଛନ୍ତି। ଓଡିଶା ନେତାମାନଙ୍କର ଭିତରେ କିଛି ମାନ ସମ୍ମାନ ଅଛି କି ନାହିଁ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି । ନୀତୀଶ କୁମାରଙ୍କ ନାଁ ନ ନେଇ ଖଡଗେ ଟାର୍ଗେଟ୍ କରି କହିଛନ୍ତି, ଜଣେ ବ୍ୟକ୍ତି ଚାଲିଗଲା ପରେ କୁହାଯାଉଛି ମେଣ୍ଟ ଦୁର୍ବଳ ହୋଇଗଲା। ଜଣେ କେହି ଚାଲିଗଲେ ମେଣ୍ଟ ଦୁର୍ବଳ ହୋଇଯିବା ଭାବିବା ଭୁଲ୍। ଆମେ ଏକାଠି ଅଛୁ ଏବଂ ମିଶିକି ମୋଦୀ-ନବୀନଙ୍କୁ ହରାଇବୁ।

ସିବିଆଇ, ଇଡି ଲଗାଇ ମୋଦୀ ସରକାର ଦେଶରେ ହୁକୁମାତି କରୁଛନ୍ତି। ଏହି ଭୟରେ କିଏ ପାର୍ଟି ଛାଡୁଛି ତ କିଏ ମେଣ୍ଟ ଛାଡ଼ି ପଳାଉଛି। ଏତେ ଡର ରହିଲେ ଗଣତନ୍ତ୍ର କିପରି ବଞ୍ଚିବ ବୋଲି ଖଡ଼ଗେ ପ୍ରଶ୍ନ କରିଛନ୍ତି। ଏଥର ଯଦି ମୋଦୀ ଜିତିବେ ଦେଶରେ ଏକଛତ୍ରବାଦ ଶାସନ ଚଳାଇବେ। ତେଣୁ ଏହା ଶେଷ ନିର୍ବାଚନ ଏବଂ ଆପଣଙ୍କ ପାଇଁ ଶେଷ ସୁଯୋଗ। ପୁଣି ଥରେ ଆପଣମାନେ ଗୁଲାମ ରହିବେ କି ନାହିଁ ତାହା ଆପଣଙ୍କ ପସନ୍ଦ। ଏ ଲଢେଇ ଧନୀ-ଗରିବଙ୍କ ମଧ୍ୟରେ ଚାଲିଛି। ଆମେ ଗରିବଙ୍କ ସହ ଅଛୁ ଏବଂ ରହିବୁ ବୋଲି ଖଡ଼ଗେ କହିଛନ୍ତି।

ତେବେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛି ଯେ, ଦଳ ଏଥର ପୁରା ଦମରେ ନିର୍ବାଚନ ଲଢିବ । ଅଜୟ କୁମାର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବା ପରଠୁ ଓଡିଶା ଗସ୍ତ କରି କଂଗ୍ରେସର ସାଂଗଠନିକ ସ୍ଥିତି ମଜବୁତ କରିବାରେ ଲାଗିଛନ୍ତି । ସେ ନେତା ଓ କର୍ମୀଙ୍କୁ ନେଇ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଆଉ ଏହି ସମୟରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାରେ କୌଣସି ହେଳା କରୁ ନାହାନ୍ତି । ଅଜୟ କୁମାରଙ୍କ ବିଜେଡି ସରକାର ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ କଂଗ୍ରେସ ଶିବିରକୁ ଉତ୍ସାହିତ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ