Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀକୃଷ୍ଣ କର୍ତ୍ତୃକ ପୁତନା ମୃତ୍ୟୁ, କଂସ-ଜରାସନ୍ଧ ଯୁଦ୍ଧ, ହେତି, ପ୍ରହେତି ଓ ପଦ୍ମାବତୀ ବିବାହ : ସପ୍ତମ ଦିନରେ ବିଶ୍ୱନାଥପୁର ଧନୁଯାତ୍ରା ମହୋତ୍ସବ

କଳାହାଣ୍ଡି,୩୦/୦୧-ମହାରାଜ କଂସଙ୍କ ନିର୍ଦ୍ଦେଶରେ ଗୋପପୁରକୁ ରାକ୍ଷସୀ ପୁତନା ଯିବା ସହିତ ନବଜାତ ଶିଶୁମାନଙ୍କୁ କ୍ଷୀର ପିଆଇ ହତ୍ୟା କରିବାକୁ ଉଦ୍ୟମ କରିଛି। ତେବେ ବାଲ୍ୟଲୀଳା କରୁଥିବା ଶ୍ରୀକୃଷ୍ଣ ପୁତନାର ଛଳନା ଜାଣିପାରି କ୍ଷୀର ଶୋଷି ତାର ପ୍ରାଣ ଶୋଷିନେଇଛନ୍ତି। ପୁତନା ପ୍ରାଣ ହାରିବା ଖବର ପହଞ୍ଚିଛି ମହାରାଜ କଂସ ନିକଟରେ। ପୁତନାର ମୃତ୍ୟୁ ଖବର ଶୁଣି ମହାରାଜ କଂସ ମର୍ମାହତ ହୋଇ ପଡ଼ିଛନ୍ତି। ଏହାପରେ ପରେ କଂସ ନିଜର ସାମ୍ରାଜ୍ୟ ଓ ଆଧିପତ୍ୟ ବିସ୍ତାର କରିବାକୁ ମଗଧ ଦେଶ ଉପରେ ଆକ୍ରମଣ କରିଛନ୍ତି। ମଗଧର ରାଜା ଜରାସନ୍ଧକୁ ଘମାଘୋଟ ଯୁଦ୍ଧରେ ପରାସ୍ତ କରି ରାଜକୁମାରୀ ପଦ୍ମାବତୀ, ହେତି, ପ୍ରହେତିଙ୍କୁ ବିବାହ କରିଛନ୍ତି। ସେହିପରି ଶ୍ରୀକୃଷ୍ଣଙ୍କୁ ପାଇ ଗୋପପୁର ଉତ୍ସବମୟ ହୋଇଉଠିଥିବାବେଳେ ରାଜା ନନ୍ଦ ଓ ଯଶୋଦା ତଥା ରୋହିଣୀ ଦୁଇ ନବଜାତଙ୍କ ନାମକରଣ କରିଛନ୍ତି। ମାୟାବିନୀ ପୁତନାର ମୃତ୍ୟୁକୁ ନେଇ ଗୋପରାଜା ନନ୍ଦ ନିଜର ସୁରକ୍ଷା କର୍ମୀଙ୍କୁ ତାଗିଦ କରିବା ସହିତ ନଗ୍ରର ସୁରକ୍ଷା ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁରଠାରେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବର ସପ୍ତମ ଦିବସରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାରମାନଙ୍କ ଅଭିନୟରେ ଲୋକେ ଅଭିଭୂତ ହୋଇପଡ଼ିଥିଲେ। ମହାରାଜ କଂସଙ୍କ ରାଜ ଦରବାରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ତହସିଲଦାର କିରଣ କୁମାର ମହାନ୍ତି, ଧନୁଯାତ୍ରା କମିଟିର ସଭାପତି ଅନନ୍ତରାମ ପ୍ରଧାନୀ, ଉପଦେଷ୍ଟା ବନମାଳୀ ଦଳେଇ, ଯୁଗ୍ମ ସଂପାଦକ କ୍ଷୀରସିନ୍ଧୁ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ସମାଜସେବୀ ପ୍ରେମସିନ୍ଧୁ ଘଡେଇ, ଖଗେଶ୍ୱର ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ। ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଆର୍ତ୍ତତ୍ରାଣ ସୁନାନୀ, ଜରାସନ୍ଧ ଭାବେ ଧନେଶ୍ବର ବାଗ, ସେନାପତି ଭାବେ ଲୋକେଶ ରଞ୍ଜନ ସୁନାନୀ, ଦେବର୍ଷି ନାରଦ ଭାବେ ତରଣୀସେନ ବାରିକ ଓ ଅନ୍ୟ କଳାକାରଙ୍କ ଅଭିନୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଯୁବ ଲେଖକ ଓ ସାମ୍ବାଦିକ ସୁଶୀଲ କୁମାର ବାଗ ରାଜ ଦରବାରରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଧନୁଯାତ୍ରା ପରିଚାଳନା କମିଟିର ଉପଦେଷ୍ଟା ପ୍ରଦୀପ କୁମାର ଘଡ଼େଇ, ସଭାପତି ଅନନ୍ତ ପ୍ରଧାନୀ, ଉପସଭାପତି ମୀନକେତନ ଦଳେଇ, ସାଧାରଣ ସଂପାଦକ ମନୋରଞ୍ଜନ ବିଶି, ଯୁଗ୍ମ ସଂପାଦକ ତରୁଣ କୁମାର ଦାସ, କ୍ଷୀରସିନ୍ଧୁ ସାହୁ, କୋଷାଧ୍ୟକ୍ଷ ମନମୋହନ ନାଏକ, ଘନଶ୍ୟାମ ସୁନା, ଧବଳେଶ୍ଵର ଠେଲା, ବନମାଳୀ ଦଳେଇ, ଉପେନ୍ଦ୍ର ସାହୁଙ୍କ ସହିତ କମିଟିର ସମସ୍ତ ସଦସ୍ୟ ଏବଂ ଉପଦେଷ୍ଟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ ତୃତୀୟ ଦିନରେ ବାହୁବଳୀ ତପସ୍ୟା ଗଣନାଟ୍ୟ ପ୍ରଦର୍ଶିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ