ଘର ବାରଣ୍ଡାରେ ଅଙ୍ଗନୱାଡ଼ି ମହିଳାଙ୍କ ମୃତଦେହ ଉଦ୍ଧାର


ବେଲଗୁଣ୍ଠା, 09/04, ଗଂଜାମ ବେଲଗୁଣ୍ଠାରେ ପଞ୍ଚଶମ୍ଭୁ ମହାମିଳନ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଭୋର୍ 4 ଘଣ୍ଟା 30 ମିନିଟ୍ ସମୟରେ ବେଲଗୁଣ୍ଠା ସହରର ମୁଖ୍ୟ ସଡ଼କରେ ଥିବା ଏକ ଘର ବାରଣ୍ଡାରେ ଜଣେ ମହିଳାଙ୍କ ଶବ ଝୁଲୁଥିବା ନେଇ ଚହଳ ପଡ଼ିଯାଇଥିଲା I ଘଟଣା ସମ୍ପର୍କରେ ବେଲଗୁଣ୍ଠା ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରିଥିଲା I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ସୂଚନା ପ୍ରକାରେ ମହିଳା ଜଣଙ୍କ ହେଉଛନ୍ତି ଜଗନ୍ନାଥପ୍ରସାଦ ବ୍ଳକ୍ ଗେରେଡା ଗ୍ରାମର ସ୍ୱର୍ଗତ ସନ୍ତୋଷ ବେହେରାଙ୍କ ବିଧବା ପତ୍ନୀ ବିଭାସିନୀ ବେହେରା (35) I ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବିଭାସିନୀ ଗତକାଲି ବେଲଗୁଣ୍ଠା କଂସାରୀ ସାହିରେ ହେଉଥିବା ପଞ୍ଚଶମ୍ଭୁ ମହାମିଳନ ଯାତ୍ରା ଦେଖିବା ପାଇଁ ବେଲଗୁଣ୍ଠାକୁ ଆସିଥିଲେ I ଆଜି ଭୋର୍ ରୁ ବିଭାସିନୀଙ୍କ ଶବ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ I ପୋଲିସ୍ ଘଟଣାକୁ ଅନୁଧ୍ୟାନ କରି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା କଥା କହୁଥିବା ବେଳେ ଆତ୍ମହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ I ଏନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ 06/23 ରେ ଏକ ମାମଲା ରୁଜୁ କରାଯାଇ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ବିଭାସିନୀ ଜଣେ ଅଙ୍ଗନୱାଡ଼ି ସହାୟିକା ଭାବେ କାର୍ଯ୍ୟ କରୁ୍ଥିବା ବେଳେ ତାଙ୍କର କୌଣସି ପୁଅ ଝିଅ ନଥିବା ଜଣାପଡିଛି I