ଭୁବନେଶ୍ୱର: ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାକୁ କେନ୍ଦ୍ରୀୟ ନେତାଙ୍କ ଘଟିବାରେ ଲାଗିଛି । ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଂଚଳ ହୋଇ ଉଠିଛି କଂଗ୍ରେସ ଶିବିର । ନିକଟରେ ଏଆଇସିସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡିଶା ଗସ୍ତରେ ଆସି ବିଜେଡି ଓ ବିଜେପି ଶାଣିତ ସ୍ୱରରେ ହମଲା କରି ଯାଇଛନ୍ତି । ଏହିକ୍ରମରେ ଓଡିଶା ଆସୁଛନ୍ତି ସାଂସଦ ରାହୁଲ ଗାନ୍ଧୀ । ଫେବୃଆରୀ ୬ ତାରିଖରେ ଓଡିଶା ଗସ୍ତରେ ରାହୁଲ ଆସିବେ ବୋଲି ବୁଧବାର ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଭାରତ ଯୋଡୋ ଯାତ୍ରାରେ ଆସନ୍ତା ୬ ତାରିଖରେ ରାହୁଲ ଗାନ୍ଧୀ ଓଡିଶାରେ ପ୍ରବେଶ କରିବେ । ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ପହଂବିବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏଠାରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କୁ ଓଡିଶା କଂଗ୍ରେସ ପକ୍ଷରୁ ଜୋରଦାର ସ୍ୱାଗତ କରାଯିବ । ଓଡିଶାର ୩ ସାଂଗଠନିକ ଜିଲ୍ଲା ରାଉରକେଲା, ସୁନ୍ଦରଗଡ ଓ ଝାରସୁଗୁଡା ଦେଇ ରାହୁଲଙ୍କ ନ୍ୟାୟ ଯାତ୍ରା ଗତି କରିବ । ରାହୁଲଙ୍କ ଯାତ୍ରାକୁ ନେଇ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।

ସୂଚନାଯୋଗ୍ୟ, ଜାନୁଆରୀ ୨୯ରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡିଶା ଗସ୍ତରେ ଆସିଥିଲେ । ସେ ଦଳର ଓଡିଶା ବଂଚାଅ ସମାବେଶରେ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ୱରରେ ହମଲା କରିଥିଲେ । ବିଜେଡି ଓ ବିଜେପି ଗୋଟିଏ ଏବଂ ଏହି ଦୁଇ ଦଳ ଓଡିଶା ସର୍ବନାଶ କରୁଥିବା କହିଥିଲେ । ଖଡଗେଙ୍କ ପରେ ଏବେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ଓଡିଶାରେ ଏହାର ପ୍ରଭାବ ପକାଇବ ବୋଲି ଦଳ ଆଶା କରିଛି ।
ଏହା ପୂର୍ବରୁ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ମୋଦୀଙ୍କ ଏହି ଗସ୍ତକୁ ନେଇ ଓଡିଶା ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । କହିବାକୁ ଗଲେ ନିର୍ବାଚନକୁ ନେଇ ଓଡିଶାରେ ଏବେ କେନ୍ଦ୍ରୀୟ ନେତାଙ୍କ ଆଗମନ ଜୋରଦାର ହେବାକୁ ଯାଉଛି ।