Budget 2024 : ପ୍ରତି ମାସରେ ମାଗଣାରେ ମିଳିବ ୩୦୦ ୟୁନିଟ୍ ବିଜୁଳି, ଅର୍ଥମନ୍ତ୍ରୀଙ୍କ ରଡ ଘୋଷଣା


ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟରେ ଅନେକ ବଡ ଘୋଷଣା କରିଛନ୍ତି । ଏହିକ୍ରମରେ ସକରାର ସୋଲାର ଯୋଜନାର ଆରମ୍ଭ କରିଛନ୍ତି । ଲୋକସଭାରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ରୁଫଟପ ସୋଲାର ପ୍ରକଳ୍ପ ଆଧାରରେ ଏକ କୋଟି ପରିବାରଙ୍କୁ ପ୍ରତି ମାସରେ ୩୦୦ ୟୁନିଟ ବିଜୁଳି ମାଗଣାରେ ମିଳିବ । ସୋଲାର ରୁଫଟପ୍ ସ୍କିମରେ ଘରଗୁଡିକରେ ୧୫୦୦୦ରୁ ୧୮୦୦୦ ଟଙ୍କା ସଂଚୟ ହେବ ବୋଲି ଆଶା କରାଯାଉଛି ।

ଏହା ପୂର୍ବରୁ ଜାନୁଆରୀ ୨୨ରେ ପିଏମ ନରେନ୍ଦ୍ର ମୋଦୀ ଏକ କୋଟି ଘରଗୁଡିକରେ ରୁଫଟପ୍ ସୌର ଶକ୍ତି ସ୍ଥାପନ କରିବା ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଆରମ୍ଭ କରିବା ପାଇଁ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସୋଲାର ଯୋଜନାରେ ଦେଶବାସୀ ଉପକୃତ ହେବେ । ବିଜୁଳି ଆବଶ୍ୟକତାକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ସୋଲାର ଯୋଜନା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ।

ସୂଚନାଯୋଗ୍ୟ, ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହା ହେଉଛି ଶେଷ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାମଚଳା ବଜେଟ୍ ସଂସଦରେ ଉପସ୍ଥାପନ କରିଛନ୍ତି । ଏହା ପୂର୍ବରୁ କାମଚଳା ବଜେଟକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲା । ଗୃହରେ ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମତି ମାଗିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହାକୁ ମଞ୍ଜୁରୀ ଦିଆଯାଇଥିଲା ।