୪୦ ହଜାର ବନ୍ଦେ ଭାରତ ବଗି, ରେଲୱେକୁ ସରକାରଙ୍କ ବଡ ଘୋଷଣା


ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ପରିବହନ କ୍ଷେତ୍ର ପାଇଁ ବଡ ଘୋଷଣା କରାଯାଇଛି । ସରକାର ସାଧାରଣ ଟ୍ରେନର ବଗିକୁ ବଦଳାଇ ବନ୍ଦେ ଭାରତସ୍ତରର ବଗି କରିବାକୁ ନିଷ୍ପତି ନେଇଛନ୍ତି । ଏହା ବ୍ୟତୀତ ମେଟ୍ରୋ ଟ୍ରେନ ଓ ନମୋ ଟ୍ରେନକୁ ଅନ୍ୟ ସହର ପର୍ଯ୍ୟନ୍ତ ବିସ୍ତାର କରିବାକୁ ନିର୍ମଳା ଘୋଷଣା କରିଛନ୍ତି ।

ସୀତାରମଣ ଗୁରୁବାର ବଜେଟ୍ ଉପସ୍ଥାପନ ସମୟରେ କହିଛନ୍ତି, ପ୍ରାୟ ୪୦ ହଜାର ବଗିକୁ ବନ୍ଦେ ଭାରତ ବଗିରେ ପରିଣତ କରାଯିବ । ଏହା ସହିତ ୩ ନୂତନ ରେଳ କରିଡର ନିର୍ମାଣର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ନିର୍ମଳା କହିଛନ୍ତି ଗତ ୧୦ ବର୍ଷରେ ଦେଶରେ ବିମାନ ବନ୍ଦର ସଂଖ୍ୟାରେ ବୃଦ୍ଧି ଘଟିଛି । ବର୍ତମାନ ଦେଶରେ ୧୪୯ ଏୟାରପୋର୍ଟ ସଂଚାଳିତ ହେଉଛି ।

ଦେଶର ତିନି ମୁଖ୍ୟ କରିଡର ଏନର୍ଜି, ମିନେରାଲ ଆଣ୍ଡ ସିମେଂଟ କରିଡର, ପୋର୍ଟ କନେକ୍ଟିଭିଟି କରିଡର ଉପରେ ଗୁରୁତ୍ୱ ଦିଆଯିବ । ପିଏମ ଗତି ଶକ୍ତି ଆଧାରରେ ଏସବୁ କରିଡରର ଚିହ୍ନଟ ହୋଇଛି । ଏହା ବ୍ୟତୀତ ଦ୍ରୁତ ଓ ସୁରକ୍ଷିତ ଟ୍ରେନ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ହାଇ ଟ୍ରାଫିକ ଡେନସିଟି କରିଡର ସାହାଯ୍ୟ କରିବ ।

ମାଳଦ୍ୱୀପ ସହ ଜାରି ତିକ୍ତତା ମଧ୍ୟରେ ସରକାର ଲାକ୍ଷାଦ୍ୱୀପକୁ ବଡ ଉପହାର ଦେବାକୁ ନିଷ୍ପତି ନେଇଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି, ଲାକ୍ଷାଦ୍ୱୀପ ସମେତ ଅନେକ ଦ୍ୱୀପରେ ପର୍ଯ୍ୟଟନ ପାଇଁ ନୂତନ ପ୍ରକଳ୍ପର ଘୋଷଣା କରାଯିବ ।