ଭୁୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଝାରସୁଗୁଡା ବିମାନବନ୍ଦର, ସମ୍ବଲପୁର ଅସ୍ଥାୟୀ ହେଲିପ୍ୟାଡ ଓ କାର୍ଯ୍ୟକ୍ରମସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ଆଇଆଇଏମର ନୂତନ କୋଠାର ଉଦଘାଟନ କରିବା ସହିତ ୨୩ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପିଏମଙ୍କ ଗସ୍ତରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାକୁ ଯାଉଛି । କାରଣ ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର ଅଛି ।
ପ୍ରଧାନମନ୍ତ୍ରୀଙ୍କ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଦୂରଦର୍ଶନ ଜରିଆରେ ସିଧା ପ୍ରସାରଣ କରାଯିବ । ଗୃହ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା କହିଛନ୍ତି, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ୩ ତାରିଖ ଅପରାହ୍ଣରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ ।
ଏହା ପରେ ଆଇଆଇଏମ କ୍ୟାମ୍ପସର ଲୋକାର୍ପଣ କରିବା ସହ ଅନ୍ୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ସମ୍ବଲପୁରର ରେମେଡ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏହି ସଭାରେ ପାଖାପାଖି ଏକ ଲକ୍ଷ ଲୋକଙ୍କ ସମାବେଶ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପିଏମ ମୋଦୀଙ୍କ ଏହି ଗସ୍ତ ଓଡିଶା ରାଜନୀତି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତାଙ୍କର ଭାଷଣ ହିଁ ରାଜ୍ୟ ବିଜେପି ବିଜେଡି ବିରୋଧରେ କେଉଁ ରଣନୀତି ନେଇ ନିର୍ବାଚନ ଲଢିବ ତାର ଦିଗ ପ୍ରସ୍ତୁତ ହେବ । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ପଶ୍ଚିମ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୋକସଭା ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରୀ ୧୦ରେ ଭୁବନେଶ୍ୱର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ଦେଶର ୨ଟି ବଡ ସ୍ଥାନରେ ବଡ ମହିଳା ସମାବେଶ ଆୟୋଜନ ହେବ । ଏଥିରେ ମଧ୍ୟପ୍ରଦେଶ ଓ ଓଡିଶାରେ ଏହି ସମାବେଶ ଆୟୋଜନ ହେବ । ଭୁୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାର ମହିଳା ଏକାଠି ହେବେ । ଏହି ସମାବେଶ ଜରିଆରେ ବିଜେପି ମହିଳା ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିବାକୁ ଯୋଜନା ରଖିଛି ।