କଂଗ୍ରେସର ହାତ ଛାଡି ପାରନ୍ତି ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ! ପିଏମ ମୋଦୀଙ୍କୁ ଭେଟିବା ପରେ କହିଲେ- ତୁଫାନ ଆଏଗା


ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଘନିଷ୍ଠ କୁହାଯାଉଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଭାରତୀୟ ଜନତା ପାର୍ଟି(ବିଜେପି) ସହ ସେ ନିକଟତର ହେଉଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଏହାକୁ ନେଇ ଆଚାର୍ଯ୍ୟ ପ୍ରମୋଦ କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଉଲ୍ଲେଖନୀୟ ଆଚାର୍ଯ୍ୟ ପ୍ରମୋଦ କଂଗ୍ରେସ ପକ୍ଷରୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବାକୁ ନିନ୍ଦା କରିଛନ୍ତି । ଏପରିକି ସେ ରାହୁଲ ଗାନ୍ଧୀଙ୍କ ଯାତ୍ରାକୁ ପର୍ଯ୍ୟଟନ ସହ ତୁଳନା କରିଛନ୍ତି ।

ଗୁରୁବାର ଆଚାର୍ଯ୍ୟ ପ୍ରମୋଦ ପିଏମ ମୋଦୀଙ୍କୁ ଭେଟିବା ସମୟର ଏକ ଫଟୋ ସେୟାର କରିଥିଲେ । ସେ ଶ୍ରୀ କଲକୀ ଧାମର କାର୍ଯ୍ୟକ୍ରମରେ ପିଏମ ମୋଦୀଙ୍କୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ । ସେ ଲେଖିଛନ୍ତି, ଫେବୃଆରୀ ୧୯ରେ ଆୟୋଜିତ ହେବାକୁ ଥିବା ଶ୍ରୀ କଲକି ଧାମର ଶିଳାନ୍ୟାସ ସମାରୋହରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ, ଆଦରଣୀୟ ଶ୍ରୀ ପିଏମ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ ଦେବାର ସୌଭାଗ୍ୟ ପ୍ରାପ୍ତ ହେଲା । ମୋର ଏହି ପବିବ୍ର ଭାବକୁ ସ୍ୱୀକାର କରିଥିବାରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଓ ସାଧୁବାଦ । ବିଜେପି ସହ ମିଶିବାର ଚର୍ଚ୍ଚା ମଧ୍ୟରେ ସେ ଏହା ମଧ୍ୟ ଲେଖିଛନ୍ତି ତୁଫାନ ଆଏଗା ।

ଏହା ପୂର୍ବରୁ ଆଚାର୍ଯ୍ୟ ପ୍ରମୋଦ ରାମ ମନ୍ଦିର ନିର୍ମାଣର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଛନ୍ତି । ଯଦି ମୋଦୀ ଦେଶର ପ୍ରଧାନମନ୍ତ୍ରୀ ନଥାନ୍ତେ ତେବେ ସୁପ୍ରିମକୋର୍ଟରୁ ନିଷ୍ପତି ଆସିବା, ରାମ ମନ୍ଦିର ନିର୍ମାଣ ହେବା ଆଦି ସମ୍ଭବପର ହୋଇ ନ ଥାନ୍ତା । ତେଣୁ ମୁଁ ରାମ ମନ୍ଦିରର ନିର୍ମାଣ ଓ ଏହାର ପ୍ରାଣ ପ୍ରତିଷ୍ଠାର ଶୁଭ ଦିନର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେବାକୁ ଚାହୁଁଛି ।

ଏପରିକି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏନଡିଏରେ ପ୍ରତ୍ୟାବର୍ତନ ଘଟିବା ଉପରେ ଆଚାର୍ଯ୍ୟ ପ୍ରମୋଦ ଇଣ୍ଡିଆ ମେଂଟ ସମାପ୍ତ ହେବ ବୋଲି କହିଥିଲେ । ସେ ଏହା ମଧ୍ୟ କହିଥିଲେ, ଏହି ମେଂଟ ଆରମ୍ଭରୁ ହିଁ ଗମ୍ଭୀର ରୋଗରେ ସଂକ୍ରମିତ । ଏହା ଆଇସିୟୁକୁ ଚାଲି ଯାଇଛି । ପରେ ଏହାକୁ ଭେଂଟିଲେଟରରେ ରଖାଗଲା । ଆଉ ନୀତୀଶ କୁମାର ଏହାର ଅନ୍ତିମ ସଂସ୍କାର କରିଛନ୍ତି । ତାଙ୍କର ଏମିତି ବୟାନକୁ ଦେଖିଲେ ଲାଗୁଛି ସେ ଶୀଘ୍ର ବିଜେପିରେ ମିଶି ପାରନ୍ତି ।