ଭୁୁବନେଶ୍ୱର: ନିକଟରେ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଫାଇଟ୍ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭାଷଣ ଦେଉଥିବା ସମବେତ ଶହ ଶହ ଛାତ୍ର-ଛାତ୍ରୀ ଜୟ ଶ୍ରୀରାମ ନାରା ଦେଇଥିଲେ । ଏହି ନାରାରେ ଅପଦସ୍ଥ ହୋଇଥିଲେ ଭିକେ ପାଣ୍ଡିଆନ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ନୂତନ ବିବାଦ ଜନ୍ମ ନେଇଛି ।
ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର କାର୍ଯ୍ୟକ୍ରମରେ ଜୟ ଶ୍ରୀରାମ ନାରାକୁ ନେଇ ସେ ଶାସକ ଦଳକୁ କଟାକ୍ଷ କରିଛନ୍ତି । ପିଲା କାହିଁକି ଜୟ ଶ୍ରୀରାମ ନାରା ଦେଲେ ସେଥିପାଇଁ ବିଡିଓ ଗାଳି ଖାଇଛନ୍ତି । ଯାହାକୁ ଦେଖି ମୋ ବିରୋଧରେ ଚାର୍ଜଫ୍ରେମ କରାଯାଇଛି । ସୋସିଆଲ ମିଡିଆରେ ମିଛ ପ୍ରଚାର ପାଇଁ ୬ କୋଟି ଟଙ୍କା ବିଜେଡି ଖର୍ଚ୍ଚ କରୁଛି । ଜୟ ଶ୍ରୀରାମ ନାରା ଶୁଣିଲେ ବିଜେଡି ବିଚଳିତ ହୋଇ ପଡୁଛି । ସମଗ୍ର ଓଡିଶାରେ ଜୟ ଶ୍ରୀରାମ ନାରା ଗୁଞ୍ଜରଣ ହେବ । ଆଗକୁ ଓଡିଶାରେ ଅରେଞ୍ଜ ଲହର ଆସିବାକୁ ଯାଉଛି । ଖୁବ୍ ଶୀଘ୍ର ଓଡିଶାରେ ଗ୍ରୀନରୁ ଅରେଞ୍ଜ ହେବ ଏବଂ ବିରାଟ ପରିବର୍ତନ ହେବ ।
ପ୍ରଦୀପ କହିଛନ୍ତି ବିଜେଡି ଗୋପାଳପୁର କାର୍ଯ୍ୟକ୍ରମ ପାଇଁ ୧୩ ହଜାର ପିଲା ଯୋଗାଡ କରିଥିଲା । ସବୁ ପିଲେ ଜୟ ଶ୍ରୀରାମ ନାରା ଦେବାରୁ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମ ସାନ ଭାଇ(ଭିକେ ପାଣ୍ଡିଆନ) ବାୟା ହୋଇଗଲା । ଛାତ୍ର-ଛାତ୍ରୀମାନଙ୍କୁ ମୋର ସାଲ୍ୟୁଟ୍, ସେମାନେ ଓଡିଶାର ଆଖି ଖୋଲି ଦେଇଛନ୍ତି । ଯେଉଁ କାମ ବିରୋଧୀ ଦଳ ଏ ଯାଏ କରି ପାରି ନାହାନ୍ତି ଏହି ଛାତ୍ରମାନେ ତାହା କରି ଦେଖାଇଲେ । ଏବେ ମୋ ନାଁରେ ରାଜ୍ୟ ସରକାର ଚାର୍ଜଫ୍ରେମ କରିବାକୁ ଯାଉଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।