ମୁଁ ଜୀବିତ ଅଛି, ଭିଡିଓ ସେୟାର କଲେ ପୁନମ ପାଣ୍ଡେ; କହିଲେ- ସର୍ଭାଇକଲ କ୍ୟାନସର ନେଇନି ମୋ ଜୀବନ


ମୁମ୍ବାଇ: ଏକ ଇନଷ୍ଟାଗ୍ରାମ ପୋଷ୍ଟରୁ ଆରମ୍ଭ ହୋଇଥିବା ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ଏକ ରହସ୍ୟରେ ପରିଣତ ହୋଇଥିଲା । ପୁନମଙ୍କ ମୃତ୍ୟୁ ଖବର ଫେବୃଆରୀ ୨ରେ ଆସିଥିଲା । ତାଙ୍କ ମ୍ୟାନେଜମେଂଟ ଦଳ ଘୋଷଣା କରିଥିଲା ଯେ, ଅଭିନେତ୍ରୀଙ୍କ ମୃତ୍ୟୁ ଘଟି ସାରିଛି । ସର୍ଭାଇକଲ କ୍ୟାନସର ଯୋଗୁଁ ପୁନମଙ୍କ ଦେହାନ୍ତ ଘଟିଥିବା କୁହାଯାଇଥିଲା । ହେଲେ ତାଙ୍କର ଅନ୍ତିମ ସଂସ୍କାରର କୌଣସି ଖବର ସାମ୍ନାକୁ ନ ଆସିବାରୁ ତାଙ୍କର ମୃତ୍ୟୁ ଖବର ରହସ୍ୟରେ ପରିଣତ ହୋଇଥିଲା । ଏବେ ଅଭିନେତ୍ରୀ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟ କରି ଚାଂଚଲ୍ୟ ଖେଳାଇ ଦେଇଛନ୍ତି । ସେ ଜୀବିତ ଥିବା ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ପୁନମ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ସେଥିରେ ସେ ସଂପୂର୍ଣ୍ଣ ସୁସ୍ଥ ଦେଖା ଯାଉଛନ୍ତି । ସେ କହିଛନ୍ତି, ମୁଁ ଜୀବିତ ଅଛି । ସର୍ଭାଇକଲ କ୍ୟାନସରରେ ମୋର ମୃତ୍ୟୁ ଘଟିନାହିଁ । ଦୁର୍ଭାଗ୍ୟରୁ ମୁଁ ସେହି ହଜାରେ ମହିଳାଙ୍କ ପାଇଁ କିଛି କହି ପାରିବି ନାହିଁ ଯେଉଁମାନେ ସର୍ଭାଇକଲ କ୍ୟାନସରରେ ନିଜର ଜୀବନ ହାରିଛନ୍ତି । ସେମାନଙ୍କ ପାଇଁ ମୁଁ କିଛି କରିପାରି ନାହିଁ । କାରଣ ମୋତେ ସେ ବିଷୟରେ କୌଣସି ସୂଚନା ନ ଥିଲା । ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ, ଅନ୍ୟ କ୍ୟାନସର ପରି ସର୍ଭାଇକଲ କ୍ୟାନସରକୁ ହରାଇବା ମଧ୍ୟ ସମ୍ଭବ । ଆପଣଙ୍କୁ ବାସ୍ ଟେଷ୍ଟ କରିବାର ଅଛି ଏବଂ ଏଚପିଭି ଭ୍ୟାକ୍ସିନ ଲଗାଇବାର ଅଛି ।

ପୁନମ ପାଣ୍ଡେଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ପୁଣି ହଙ୍ଗାମା ସୃଷ୍ଟି ହୋଇଛି । ଅଭିନେତ୍ରୀଙ୍କୁ ଖୁବ୍ ଟ୍ରୋଲ କରାଯାଉଛି । ନିଜ ମୃତ୍ୟୁର ମିଛ ନାଟକ କରିଥିବା ପୁନମ ପାଣ୍ଡେ ଏ ନେଇ ସାମାଜିକ ଗଣମାଧ୍ୟମରେ ଭୁଲ୍ ମଧ୍ୟ ମାଗିଛନ୍ତି । ସେ କହିଛନ୍ତି ସର୍ଭାଇକଲ କ୍ୟାନସରକୁ ନେଇ ମହିଳାଙ୍କୁ ସଚେତନ କରାଇବା ପାଇଁ ମୁଁ ଏହି ଭିଡିଓ କରିଥିଲି । ମୋ ମୃତ୍ୟୁ ଖବର ସଂପୂର୍ଣ୍ଣ ମିଛ ।