ଝାରସୁଗୁଡାରେ ପହଂଚିଲେ ପିଏମ ମୋଦୀ, ହେଲିକପ୍ଟରରେ ସମ୍ବଲପୁର ଗସ୍ତ


ସମ୍ବଲପୁର: ଦିନିକିଆ ଓଡିଶା ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିଛନ୍ତି । ସେଠାରୁ ସେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଧାନମନ୍ତ୍ରୀ ଆଇଆଇଏମର ନୂତନ କୋଠାର ଉଦଘାଟନ କରିବା ସହିତ ୨୩ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପିଏମଙ୍କ ଗସ୍ତରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହେବାକୁ ଯାଉଛି । କାରଣ ପ୍ରଧାନମନ୍ତ୍ରୀ ଦଳୀୟ କାର‌୍ୟ୍ୟକ୍ରମକୁ ସମ୍ବୋଧିତ କରିବାର ଅଛି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିଛନ୍ତି । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁରର ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ ।

ଆଇଆଇଏମ କ୍ୟାମ୍ପସର ଲୋକାର୍ପଣ କରିବା ସହ ପାଖାପାଖି ୬୯ ହଜାର କୋଟି ଟଙ୍କାର ୨୩ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ସେଥିରେ ୫୮ ହଜାର କୋଟି ଟଙ୍କା କୋଇଲା ଓ ଶକ୍ତି କ୍ଷେତ୍ରର ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ । ପରେ ସମ୍ବଲପୁରର ରେମେଡ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ । ଏହି ସଭାରେ ପାଖାପାଖି ଏକ ଲକ୍ଷ ଲୋକଙ୍କ ସମାବେଶ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ପିଏମ ମୋଦୀଙ୍କ ଏହି ଗସ୍ତ ଓଡିଶା ରାଜନୀତି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତାଙ୍କର ଭାଷଣ ହିଁ ରାଜ୍ୟ ବିଜେପି ବିଜେଡି ବିରୋଧରେ କେଉଁ ରଣନୀତି ନେଇ ନିର୍ବାଚନ ଲଢିବ ତାର ଦିଗ ପ୍ରସ୍ତୁତ ହେବ । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ପଶ୍ଚିମ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୋକସଭା ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି ।

ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୭୦ପ୍ଲାଟୁନ୍‌ ଫୋର୍ସ ସହ ସୁରକ୍ଷା ଦାୟିତ୍ବରେ ରହିବେ ୨୫୦ ପୋଲିସ ଅଫିସର । ଶୁକ୍ରବାର ସମ୍ବଲପୁର ଏସପି, ପୋଲିସ ଡିଜି, ଆଇଜି, ଉତ୍ତରାଞ୍ଚଳ ଡିଆଇଜି ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରୀ ୧୦ରେ ଭୁବନେଶ୍ୱର ଗସ୍ତ କରିବାର କାର‌୍ୟ୍ୟକ୍ରମ ରହିଛି । ଏହି ଦିନ ଦେଶର ୨ଟି ବଡ ସ୍ଥାନରେ ବଡ ମହିଳା ସମାବେଶ ଆୟୋଜନ ହେବ । ଏଥିରେ ମଧ୍ୟପ୍ରଦେଶ ଓ ଓଡିଶାରେ ଏହି ସମାବେଶ ଆୟୋଜନ ହେବ । ଭୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାର ମହିଳା ଏକାଠି ହେବେ । ଏହି ସମାବେଶ ଜରିଆରେ ବିଜେପି ମହିଳା ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଚେଷ୍ଟା କରିବାକୁ ଯୋଜନା ରଖିଛି ।