ବଜେଟରେ ଓଡିଶା ସରକାରଙ୍କ ଗୁଣଗାନ କଲେ ରାଜ୍ୟପାଳ, ବଖାଣିଲେ ଯୋଜନାର ଉପଲବ୍ଧି


ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣରୁ ଷୋଡଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ସୋମବାର ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନର ନିଜର ଭାଷଣ ଆରମ୍ଭରେ ରାଜ୍ୟପାଳ ଦିବଙ୍ଗତ ପୂର୍ବତନ ସଦସ୍ୟ, ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କ ଗୁଣଗାନ କରିବା ସହ ଯୋଜନାର ଉପଲବ୍ଧି ବଖାଣିଛନ୍ତି । ପ୍ରାରମ୍ଭରେ ରାଜ୍ୟପାଳ ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କରି କହିଛନ୍ତି, ୮ ଶହ କୋଟିରେ ନିର୍ମିତ ଏହି ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ସୁବିଧା ଦେବ । ଏହି ପ୍ରକଳ୍ପ ଆଗନ୍ତୁକମାନଙ୍କୁ ଅତ୍ୟାଧୁନିକ ସୁବିଧା ପ୍ରଦାନ କରିବ । ଶ୍ରୀମନ୍ଦିର ସୁରକ୍ଷାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

ରାଜ୍ୟପାଳ କହିଛନ୍ତି, ଲୋକଙ୍କୁ ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଲୋକାର୍ପିତ ହୋଇଛି । ନୂଆ ଓ ଯୁବ ଭାଗିଦାରୀକୁ ସଶକ୍ତ କରିବ । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ହୋଇଛି । ଫାଇଭ-ଟି ଓ ମୋ ସକରାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ଆରମ୍ଭ କରିଛି । ରାଜ୍ୟପାଳ କହିଛନ୍ତି, ୨୦୨୨-୨୩ରେ ୬.୦୩ ଲକ୍ଷ କୁଇଂଟାଲ ମାଣ୍ଡିଆ ସଂଗ୍ରହ ହୋଇଛି । ୧୧୩.୭୬ ରାସନକାର୍ଡଧାରୀଙ୍କୁ ୪ ଲକ୍ଷ କୁଇଂଟାଲ ମାଣ୍ଡିଆ ଦିଆଯାଇଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି । ପ୍ରତି ପରିବାରକୁ ୫ ଲକ୍ଷ, ମହିଳା ସଦସ୍ୟଙ୍କୁ ଆଉ ୫ ଲକ୍ଷର ଚିକିତ୍ସା ସହାୟତା ମିଳୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୩.୫ କୋଟି ଲୋକଙ୍କ ପାଖରେ ପହଂଚିଛି । ୭୫୦ କୋଟି ଟଙ୍କା ବ୍ୟୟରେ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି ।

ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତି, ଦୁର୍ବଳ ଓ ଆପଦଗ୍ରସ୍ତ ପରିବାରକୁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମାଗଣା ମିଳୁଛି । ଅନ୍ତୋଦୟ ଅନ୍ନ ଯୋଜନାରେ ମାସିକ ୩୫ କେଜି ଚାଉଳ ମାଗଣା ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପରିବାରକୁ ରାଜ୍ୟ ଚାଉଳ ଦେଉଛି । ୩.୧୫ ଲକ୍ଷ ପରିବାରର ୯.୯୭ ଲକ୍ଷ ଲୋକଙ୍କୁ ରାଜ୍ୟ ଚାଉଳ ଦେଉଛି । ୧୭.୧୧ ଲକ୍ଷ ଚାଷୀଙ୍କଠାରୁ ୭୯.୧୬ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି । ରାଜ୍ୟର ୪୦ ପ୍ରତିଶତ ଅଂଶଧନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି । ୨୦୧୪-୧୫ରୁ ଏ ଯାଏଁ ୩୪.୨୫ ଲକ୍ଷ ପକ୍କା ଘର ନିର୍ମାଣ ହୋଇଛି । ସମୟ ପୂର୍ବରୁ ଘର ସାରିଥିବାରୁ ୧୩୮୭ କୋଟିର ପ୍ରୋତ୍ସାହନ ଦିଆଯାଇଛି । ମଧ୍ୟବିତ ପରିବାରର ଗୃହ ନିର୍ମାଣ ସ୍ୱପ୍ନ ସାକାର ପାଇଁ ମୋ ଘର ଆରମ୍ଭ ହୋଇଛି । ଆମ ଓଡିଶା ନବୀନ ଓଡିଶାରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଦିଆଯାଇଛି । ରାଜ୍ୟର ୧୦ ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରି ସାରିଛି । ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଂଚଳ ବସ୍ତିମୁକ୍ତ ହେବ । ନ୍ୟୁୟର୍କ, ଟୋକିଓ, ସିଙ୍ଗାପୁର ଭଳି ଓଡିଶାରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଚାଲିଛି । ଡ୍ରିଙ୍କ ଫ୍ରମ୍ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ୨ୟ ସହର ରହିଛି । ୨୪ ସହରାଂଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ ଟ୍ୟାପ୍ ସୁବଧା ପାଉଛନ୍ତି ।

ରାଜ୍ୟପାଳ ନିଜ ଅଭିଭାଷଣରେ ଏହା ମଧ୍ୟ କହିଛନ୍ତି, ୩୪୧୧ କୋଟି ଖର୍ଚ୍ଚରେ ୬୮୭୨ଟି ହାଇସ୍କୁଲ ରୂପାନ୍ତରଣ ହୋଇଛି । କୋରାପୁଟ ଜିଲ୍ଲା କୋଟିଆରେ ସ୍ୱତନ୍ତ୍ର ଆଦର୍ଶ ବିଦ୍ୟାଳୟ କରାଯାଇଛି । ମିଶନ ଶକ୍ତି ଋଣ ଯୋଜନାରେ ବିନା ସୁଧରେ ୫ ଲକ୍ଷ ଯାଏଁ ଋଣ ମିଳୁଛି । ଆନ୍ତଃଜାତି ବିବାହକୁ ସ୍ୱୀକୃତି ପାଇଁ ଦମ୍ପତିଙ୍କୁ ୨.୫ ଲକ୍ଷ ପ୍ରୋତ୍ସାହନ ମିଳୁଛି । ୫୩.୦୯ ଲକ୍ଷ ଲୋକଙ୍କୁ ସାମାଜିକ ସୁରକ୍ଷା ଭତା ପ୍ରଦାନ କରାଯାଉଛି । ଅସହାୟା, ସ୍ୱାମୀ ପରିତ୍ୟକ୍ତା, କୋଭିଡ୍ ଯୋଗୁଁ ବିଧବାଙ୍କୁ ଭତା ମିଳୁଛି । ରାଜ୍ୟପାଳ କହିଛନ୍ତି ୬୨୫୬ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ୨୦୨୭ ଶେଷ ସୁଦ୍ଧା ମେଟ୍ରୋ ପ୍ରକଳ୍ପ ଶେଷ ହେବ । ୩୦ ଜିଲ୍ଲାର ୬୭୯୮ ପଂଚାୟତରେ ଲକ୍ଷ୍ମୀ ବସ୍ ଗଡିବ ।