ବୀରମହାରାଜପୁର ବ୍ଲକ ରେ ଶିକ୍ଷକ ବଦଳି ପ୍ରତିବାଦ କରି ଚାରିଦିନରେ 3 ସ୍କୁଲ ରେ ପଡ଼ିଲାଣି ତାଲା


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ବିଭିନ୍ନ ସ୍କୁଲରେ ଶିକ୍ଷକ ବଦଳି କୁ ନେଇ ପ୍ରତିବାଦ ଦେଖା ଯାଉଛି। ବିଗତ ୪ ଦିନ ମଧ୍ୟରେ ତିନୋଟି ସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦ ରେ ସ୍କୁଲ ଫାଟକରେ ତାଲା ମାରିଛନ୍ତି ଛାତ୍ର ଛାତ୍ରୀ ତଥା ପରିଚାଳନା କମିଟି ର ସଦସ୍ୟ ଓ ଅଭିଭାବକ । ଶନିବାର ଦିନ କମିରା ପଞ୍ଚାୟତ ର ବିକଲପୁର ୟୁପି ସ୍କୁଲ ରେ ମଧ୍ୟ ଏହାର ପ୍ରତିବାଦ ଦେଖିବାକୁ ମିଳିଛି। ସୁଚନାମତେ ୧୯୫୭ ମସିହାରେ ସ୍ଥାପିତ ବିକଲପୁର ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ସମୁଦାୟ ୯୭ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏମାନଙ୍କୁ ପଢ଼ାଇବା ପାଇଁ ଛଅ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। ମାତ୍ର ଗତ ୨୯ ତାରିଖ ରେ ବ୍ଲକ ର ୧୧ଜଣ ଶିକ୍ଷକ ଙ୍କ ବଦଳି ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ନାରାୟଣ ସାହୁ ଙ୍କ ବଦଳି ସୁବଳୟା ପଞ୍ଚାୟତ ର କେଲଗାଁ ୟୁପି ସ୍କୁଲ କୁ ହୋଇଥିଲା । ତେବେ ଉକ୍ତ ବଦଳି କୁ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ତେଣୁ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଫଳରେ ଶିକ୍ଷକମାନେ ସ୍କୁଲ ଭିତରକୁ ଯାଇ ନ ପାରି ବାହାରେ ବସି ରହିଥିଲେ । ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ଦିଆ ଯାଇପାରି ନାହିଁ । ଏପରିକି ଶନିବାର ଦିନ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସ୍କୁଲ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହୋଇଥିଲେ ମଧ୍ୟ ଉକ୍ତ ସ୍କୁଲରେ ଏହା ଆୟୋଜନ କରାଯାଇ ନାହିଁ। ଖବର ପାଇ ଏବିଇଓ ସୁଶିଲ ପରିଡ଼ା ଓ ସିଆରସିସି ଅନାଦି ଜଗଦଲା ସ୍କୁଲକୁ ଯାଇ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲରୁ ତାଲା ଖୋଲା ଯାଇ ନାହିଁ। ଏ ନେଇ ଉକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ମେହେର ଙ୍କୁ ଯୋଗାଯୋଗ କରିବାରୁ ସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦ କରି ତାଲା ପକାଯାଇଛି । ଏଥିପାଇଁ ସ୍କୁଲରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ମଧ୍ୟ କରାଯାଇ ନାହିଁ । ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକର ଙ୍କୁ ପଚାରିବାରୁ ନିୟମ ଅନୁଯାୟୀ ବଦଳି ହୋଇଛି । ଗ୍ରାମବାସୀ ଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ବ୍ଲକ ର ବିଭିନ୍ନ ସ୍କୁଲରେ ଶିକ୍ଷକ ବଦଳି କୁ ନେଇ ତାଲା ମାରି ପ୍ରତିବାଦ କରିବା ଘଟଣା କୁ ନେଇ ଶିକ୍ଷାବିତ୍ ମହଲରେ ଉଦବେଗ ପ୍ରକାଶ ପାଇଛି । ଉକ୍ତ ସମସ୍ୟା କୁ ଗୁରୁତ୍ବ ଦେଇ ଏହାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।