ରାଜ୍ୟରେ ୨୮ଟି ନୂଆ ଜିଲ୍ଲା ଗଠନ ଦାବି- ବିଧାନସଭାରେ ଉତର ରଖିଲେ ମନ୍ତ୍ରୀ


ଭୁବନେଶ୍ୱର: ରାଜ୍ୟରେ ଆଉ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ମିଳିଛି ଦାବିପତ୍ର । ଟିଟିଲାଗଡ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତରରେ ବିଧାନସଭାରେ ଏହା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ମନ୍ତ୍ରୀ ବୁଧବାର କହିଛନ୍ତି, ପଦ୍ମପୁର, ଧର୍ମଗଡ, କଂଟାବାଞ୍ଜି ସହ ୨୮ଟି ନୂଆ ଜିଲ୍ଲା ପାଇଁ ଦାବି ଉଠିଛି ।

ସେ ଗୃହରେ କହିଛନ୍ତି, ମୟୂରଭଞ୍ଜରେ ୪ଟି ନୂଆ ଜିଲ୍ଲା ପାଇଁ ଦାବିପତ୍ର ମିଳିଛି । ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ, କରଞ୍ଜିଆକୁ ଜିଲ୍ଲା ଗଠନ ପାଇଁ ଦାବି ହୋଇଛି । ସେହିପରି ଗଞ୍ଜାମରେ ବି ୪ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି । ସେଥିରେ ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର ଓ ଭଞ୍ଜନଗର ଜିଲ୍ଲା ପାଇଁ ଦାବି ଉଠିଛି । ବଲାଙ୍ଗିରରେ ଟିଟିଲାଗଡ, କଂଟାବାଞ୍ଜି, ପାଟଣାଗଡ ଜିଲ୍ଲା ଦାବି ଉଠିଛି । ଉପଯୁକ୍ତ ସମୟରେ ସରକାର ଉପଯୁକ୍ତ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତରରେ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ଅନେକ ବଡ ଜିଲ୍ଲାରେ ଜିଲ୍ଲା ଗଠନ ପାଇଁ ଦାବି ହୋଇ ଆସିଛି । ସଂପ୍ରତି ବରଗଡର ପଦ୍ମପୁର ଜିଲ୍ଲା ହେବା ପ୍ରକ୍ରିୟା ଜାରି ରହିଛି । ଏହା ଆଇନଗତ ଜାଲରେ ଛନ୍ଦି ହୋଇ ପଡିଛି । ଫଳରେ ପଦ୍ମପୁରବାସୀଙ୍କ ଜିଲ୍ଲା ସ୍ୱପ୍ନ ପୂରଣ ହେବା ସେତେଟା ସହଜ ନୁହେଁ । ଏମିତି ସ୍ଥିତିରେ ଅନ୍ୟ ଜିଲ୍ଲାରେ ଉଠୁଥିବା ଜିଲ୍ଲାଗଠନ ଦାବି ପୂରଣ ହେବା ମୁସ୍କିଲ ବୋଲି ବୋଲି ସମୀକ୍ଷକ କହିଛନ୍ତି ।