ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ, କହିଲେ- ଦଳରେ ଅଣଦେଖା କରାଯାଉଥିଲା


ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ । ତେଲକୋଇର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନାୟକ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କ ପ୍ରତି ଅଣଦେଖା ହେଉଥିବା ଅଭିଯୋଗ କରି ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। ଏହା ପରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ କି ନାହିଁ କୌଣସି ସୂଚନା ଦେଇ ନାହାନ୍ତି ।

ପ୍ରେମାନନ୍ଦ କହିଛନ୍ତି, ସେ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ଦେଇଥିଲେ । ହେଲେ ଏହା ଉପରେ କେହି ଆଲୋଚନା କରି ନାହାନ୍ତି । ହେଲେ ତାଙ୍କ ପ୍ରତି ଦଳରେ ବାରମ୍ବାର ଅଣଦେଖା କରାଯିବାରୁ ସେ ବିଜେଡି ଦଳ ଛାଡିଥିବା କହିଛନ୍ତି । ଉଲ୍ଲେଖନୀୟ ୨୦୦୯ରେ ପ୍ରଥମ ଥର ସେ ତେଲକୋଇରୁ ବିଧାୟକ ହୋଇଥିଲେ । ୨୦୧୯ରେ ପୁଣି ଥରେ ଉକ୍ତ ଆସନରୁ ନିର୍ବାଚନ ଜିତିଥିଲେ ପ୍ରେମାନନ୍ଦ । ଦ୍ୱିତୀୟ ଥର ବିଧାୟକ ହେବା ପରେ ତାଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ପରେ ୨୦୨୨ରେ ମନ୍ତ୍ରିମଣ୍ଡଳ ଅଦଳବଦଳରେ ତାଙ୍କୁ ମନ୍ତ୍ରୀ ପଦରୁ ବାଦ୍ ଦିଆଯାଇଥିଲା ।

ନିର୍ବାଚନ ପୂର୍ବରୁ ସେ ଇସ୍ତଫା ଦେବା ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ସେ ଅନ୍ୟ କୌଣସି ଦଳରେ ଯୋଗ ଦେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ତାଙ୍କର ବିଜେପିରେ ଯୋଗ ଦେବାର ଅଧିକ ସମ୍ଭାବନା ଥିବା କୁହାଯାଉଛି । ଉଲ୍ଲେଖନୀୟ କିଛି ଦିନ ପୂର୍ବରୁ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ରାଜ୍ୟ ସଭାପତି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ଦେଇଥିଲେ ।