କିଏ ଯିବେ ରାଜ୍ୟସଭା ? ବିଜେଡିରେ ଚାଲିଛି ଅଙ୍କକଷା, ଦୌଡରେ ଅଛନ୍ତି ଏହି ସବୁ ନେତା


ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାରୁ ୩ଟି ଆସନରେ ଆସନ୍ତା ୨୭ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ । ସଂଖ୍ୟା ବଳକୁ ଦେଖିଲେ ଏହି ତିନୋଟି ଆସନ ବିଜେଡି କବଜାକୁ ଯିବାର ସମ୍ଭାବନା ଅଧିକ ରହିଛି । ତେବେ ଏହି ତିନୋଟି ଆସନରେ କାହାକୁ ରାଜ୍ୟସଭା ପଠାଯିବ ସେ ନେଇ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଛି । କାରଣ ଅନେକ ଆଶାୟୀ ରହିଛନ୍ତି ଏବଂ ଆଶା କରୁଛନ୍ତି ଏଥର ହାଇକମାଣ୍ଡ ତାଙ୍କୁ ସଂସଦର ଉଚ୍ଚସଦନକୁ ପଠାଇବେ ।

ଏପ୍ରିଲ ୩ ତାରିଖରେ ରାଜ୍ୟର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟ ବିଧାନସଭା ସଂଖ୍ୟା ଗଣିତ ହିସାବରେ ୩ଟି ଯାକ ଆସନ ବିଜେଡି ହାତକୁ ଯିବା ସ୍ପଷ୍ଟ । ତେବେ ବିଜେଡିର କେଉଁ ୩ ପ୍ରାର୍ଥୀ ଯାହାଙ୍କ ନାଁରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ମାରିବେ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ବିଜେଡି ଏଥର ରାଜ୍ୟସଭା ଟିକେଟ ଧରାଇପାରେ । ପିନାକୀ କ୍ରମାଗତ ତିନି ଥର ପୁରୀ ଲୋକସଭାରୁ ସଂସଦକୁ ଯାଇଛନ୍ତି ।

କୁହାଯାଉଛି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କୁ ଦଳ ପୁଣ ିଥରେ ସଂସଦର ଉଚ୍ଚସଦନକୁ ପଠାଇପାରେ । ବରିଷ୍ଠ ନେତା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପଶ୍ଚିମ ଓଡିଶାରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ବି ରାଜ୍ୟସଭା ରେସରେ ଥିବା ଶୁଣିବାକୁ ମିଳୁଛି । ଅନ୍ୟପଟେ ରାଜନୈତିକ କରିଡରରେ ଚର୍ଚ୍ଚା ମୁଖ୍ୟମନ୍ତ୍ରୀ ଏଥର ଜଣେ ମହିଳାଙ୍କୁ ରାଜ୍ୟସଭା ପଠାଇ ପାରନ୍ତି । ଏମିତି ହେଲେ ମହିଳାଙ୍କ ପ୍ରତି ତାଙ୍କ ଦଳ କେତେ ଗୁରୁତ୍ୱ ଦେଉଛି ତାର ବାର୍ତା ମଧ୍ୟ ଦଳ ଦେବାକୁ ଚାହୁଁଛି । ଏମିତି ହେଲେ ମିଶନ ଶକ୍ତିରେ ଭଲ କାମ କରୁଥିବା କିଛି ମହିଳାଙ୍କ ନାଁ ବି ଆସିପାରେ । ଏହାବାଦ ଅବସରପ୍ରାପ୍ତ କିଛି ପ୍ରଶାସନିକ ଅଧିକାରୀଙ୍କ ନାଁ ବି ରାଜ୍ୟସଭା ଦୌଡରେ ଥିବା ଚର୍ଚ୍ଚା ଚାଲିଛି । ତେବେ ମୁଖ୍ୟମନ୍ତ୍ରୀ ସର୍ବଦା ଏମିତି ନିଷ୍ପତି ନେଇଥାନ୍ତି ଯାହା ସଭିଙ୍କ ଅନୁମାନଠୁ ବାହାରେ ଥାଏ ।

ବିଜେଡିର କିଛି ବରିଷ୍ଠ ନେତାଙ୍କ କହିବା କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସ୍ବାର୍ଥ ଲାଗି ସବୁବେଳେ ସଠିକ ନିଷ୍ପତ୍ତି ନେଇଥାନ୍ତି । ଏଥର ବି ସେ ଠିକ ସମୟରେ ଠିକ ନିଷ୍ପତ୍ତି ନେବେ । ଯେହେତୁ ନିର୍ବାଚନ ରହିଛି ସବୁ ଦିଗରୁ ଦୃଷ୍ଟିରେ ରଖି ଏବଂ ଅଙ୍କ କଷି ତିନି ଜଣଙ୍କୁ ରାଜ୍ୟସଭା ପଠାଇ ରାଜ୍ୟବାସୀଙ୍କୁ ଏକ ବଡ ବାର୍ତ୍ତା ଦେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଫେବୃଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ଫେବୃଆରୀ ୮ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନାମାଙ୍କନ ଭରିବାର ଶେଷ ତାରିଖ ହେଉଛି ଫେବ୍ରୁଆରୀ ୧୫ ତାରିଖ । ୧୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି । ଯଦି ନିର୍ବାଚନ ହୁଏ ତାହେଲେ ଫେବୃଆରୀ ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ଭିତରେ ମତଦାନ ହେବ । ସେହିଦିନ ସଂଧ୍ୟା ୫ଟା ରେ ରେଜଲ୍ଟ ପ୍ରକାଶ ପାଇବ । ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ଶାସକ ଦଳ ବିଜେଡି ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ନା ଦଳ ବିଜେପି ସହ ମିଶି ବିଜେପିର କୌଣସି ନେତାଙ୍କୁ ପ୍ରାର୍ଥୀ କରିବା ତାହା ଦେଖିବା ବାକି ରହିଲା ।