ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ, ୧୦ ଥର ବିଧାୟିକା ଭାବେ ଜିତିଥିଲେ ନିର୍ବାଚନ


ଭୁବନେଶ୍ୱର: ଖଲ୍ଲିକୋଟ ରାଣୀ ତଥା କବିସୂର୍ଯ୍ୟନଗର ଓ ଖଲ୍ଲିକୋଟର ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ଘଟିଛି । ୮୭ ବର୍ଷ ବୟସରେ ତାମିଲନାଡୁର ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳି ଯାଇଛି । ଭି ସୁଜ୍ଞାନ କୁମାରୀ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟରରୁ ୧୦ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଶୋକ ବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ଗତ କିଛି ଦିନ ଅସୁସ୍ଥତା କାରଣରୁ ତାଙ୍କୁ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପୂର୍ବତନ ବିଧାୟିକାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥତା ବିଷୟରେ ଖବର ପାଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇ ଗସ୍ତ କରି ପଚାରି ବୁଝିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଚେନ୍ନାଇ ଯାଇଥିଲେ। ତେବେ ବିଳମ୍ବିତ ରାତ୍ରିରେ ପୂର୍ବତନ ବିଧାୟିକାଙ୍କ ପରଲୋକ ଘଟିଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଭି.ସୁଜ୍ଞାନ କୁମାରୀ ଦେଓ ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ଥିଲେ । ୧୯୩୭ ମସିହା ଅଗଷ୍ଟ ୫ରେ ଗଞ୍ଜାମରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ କୁମାରୀ । ସେ ୧୯୬୧ ମସିହାରୁ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । କଂଗ୍ରେସ ଟିକେଟରୁ ପ୍ରଥମ ଥର ଖଲ୍ଲିକୋଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୭୪ରୁ ୨୦୧୪ ଯାଏ ଗଞ୍ଜମା ଜିଲ୍ଲାର ଖଲ୍ଲିକୋଟ୍ ଓ କବିସୂର୍ଯ୍ୟନଗରରୁ ୧୦ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ କଂଗ୍ରେସ, ୧୯୭୪ରୁ ୧୯୭୭ ପର‌୍ୟ୍ୟନ୍ତ ଉତ୍କଳ କଂଗ୍ରେସ, ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଜନତା, ୧୯୮୫ରୁ ୧୯୯୦ଜନତା ପାର୍ଟି ୧୯୯୦ରୁ ୨୦୦୦ ପର‌୍ୟ୍ୟନ୍ତ ଜନତା ଦଳ ଓ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଧାୟିକା ହୋଇଥିଲେ।