ହାତ ଧରିଲେ ଅଭିନେତା ମନୋଜ ମିଶ୍ର, ଆରମ୍ଭ କଲେ ନୂତନ ଇନିଂସ


ଭୁବନେଶ୍ୱର: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଗତ କିଛି ମାସ ଧରି ଚର୍ଚ୍ଚାରେ ରହି ଆସିଥିବା ଅଭିନେତା ମନୋଜ ମିଶ୍ର ରାଜନୀତିରେ ନୂତନ ଇନିଂସ ଆରମ୍ଭ କରିଛନ୍ତି । ଶନିବାର ମନୋଜ ମିଶ୍ର କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ତାଙ୍କୁ ସଦସ୍ୟତା ପ୍ରଦାନ କରିଛନ୍ତି । ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।

କଂଗ୍ରେସରେ ମିଶିବା ପରେ ମନୋଜ କହିଛନ୍ତି, କଂଗ୍ରେସ ଦଳର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ମୁଁ ଦଳରେ ମିଛି । ମୁଁ ନେତା ହେବାକୁ ନୁହେଁ ବରଂ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି । ପଶ୍ଚିମ ଓଡିଶାରେ ଅନେକ ସମସ୍ୟା ରହିଛି । ସରକାର ଏହି ଅଂଚଳକୁ ଅଣଦେଖା କରୁଛନ୍ତି । ତେଣୁ ଲୋକଙ୍କ ସ୍ୱର ଉଠାଇବା ପାଇଁ ମୁଁ କଂଗ୍ରେସରେ ସାମିଲ୍ ହୋଇଛି । ମୁହଁ ଖୋଲିଲି ବୋଲି ଆଜି ଓଡିଶାରେ କିଛିଟା ପରିବର୍ତନ ଆସିଛି । ନିର୍ବାଚନ ଲଢିବି କି ନାହିଁ ତାହା ପରବର୍ତୀ ସମୟରେ ଦଳ ନିଷ୍ପତି ନେବ ମନୋଜ କହିଛନ୍ତି ।

ସୂଚନାଯୋଗ୍ୟ, ଓଡିଆ ଫିଲ୍ମର ସ୍ଥିିତିକୁ ନେଇ ସତ କଥା କହି ଏହି ଇଣ୍ଡଷ୍ଟ୍ରୀର ଅନେକ ନିର୍ଦ୍ଦେଶକ ଓ ଅଭିନେତା-ଅଭିନେତ୍ରୀଙ୍କ ବିଷୋଗାର ଏବଂ ସମାଲୋଚନାର ପାତ୍ର ପାଲଟିଥିଲେ ମନୋଜ । ଓଡିଆ ଫିଲ୍ମର ସୁଧାର କେମିତି ହେବ, କେମିତି ଅଧିକ ସଂଖ୍ୟକ ହଲ୍ ମିଳିବ ଏବଂ ଏ ଦିଗରେ ସରକାର କଣ କରିବା ଦରକାର ଏହାକୁ ନେଇ ମନୋଜ ମିଶ୍ର କହି ଆସିଥିଲେ । ଅଲିଓଡରେ ତାଙ୍କୁ ଏକ ଘରିଆ କରାଯାଇଥିଲା । ବିବାଦରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ । ଆଉ ଏବେ ଅଭିନେତା କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।