୭ କୋଟି କର୍ମଚାରୀଙ୍କ ପାଇଁ ଖୁସିର ଖବର, ବଢିଲା ଇପିଏଫଓ ସୁଧହାର


ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସିର ଖବର । କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ(ଏପିଏଫଓ) ପିଏଫ ଉପରେ ସୁଧହାର ବୃଦ୍ଧି କରିଛି । ସୁଧହାର ୮.୧୫ ପ୍ରତିଶତରୁ ୮.୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏଥିରେ ଦେଶର ୭ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ ।

୨୦୨୩-୨୪ ପାଇଁ ପିଏଫ ଖାତାଧାରୀଙ୍କୁ ପିଏଫ ଆକାଉଂଟରେ ରଖିଥିବା ଅର୍ଥ ଉପରେ ଅଧିକ ସୁଧ ମିଳିବ । ଏହା ପୂର୍ବରୁ ପିଏଫ ଖାତାଧାରୀଙ୍କୁ ୨୦୨୨-୨୩ରେ ୮.୧୫ ପ୍ରତିଶତ ଏବଂ ୨୦୨୧-୨୨ରେ ୮.୧୦ ପ୍ରତିଶତ ହାରରେ ସୁଧ ମିଳୁଥିଲା । ଏବେ ୨୦୨୩-୨୪ ପାଇଁ ପିଏଫ ଖାତାଧାରୀଙ୍କୁ ପୂର୍ବ ତୁଳନାରେ ୦.୧୦ ପ୍ରତିଶତ ଅଧିକ ସୁଧ ମିଳିବ ।

ଇପିଏଫଓର ସିବିଟିର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ପିଏଫର ସୁଧ ଉପରେ ଏହି ବଡ ନିଷ୍ପତି ନିଆଯାଇଛି । ସିବିଟିର ନିଷ୍ପତି ଉପରେ ଅନ୍ତିମ ମୋହର ପାଇଁ ଏହାକୁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯିବ । ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ମିଳିବା ପରେ ପିଏଫ ଉପରେ ସୁଧହାର ବୃଦ୍ଧିର ଆନୁଷ୍ଠାନିକ ଘୋଷଣା କରାଯିବ ।

ଏହା ଇପିଏଫଓର ଟ୍ରଷ୍ଟିଜ ବୋର୍ଡର ୨୩୫ତମ ବୈଠକ ଥିଲା । ସିବିଟିର ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ଆଶା କରାଯାଉଥିଲା । ଇପିଏଫଓର ୭ କୋଟିରୁ ଅଧିକ ଜମାକାରୀ ରହିଛନ୍ତି । ବିଶେଷ କରି ଘରୋଇ କମ୍ପାନୀରେ କାମ କରୁଥିବା ଲୋକଙ୍କ ସଂଖ୍ୟା ଏଥିରେ ଅଧିକ ରହିଛି । ପ୍ରାଇଭେଟ୍ ସେକ୍ଟରର କର୍ମଚାରୀଙ୍କ ଦରମାରୁ ପ୍ରତି ମାସରେ ଏକ ନିର୍ଦ୍ଧାରିତ ରାଶି ପିଏଫ ନାମରେ କଟାଯାଏ । ଆଉ ନିଯୁକ୍ତିଦାତା ପକ୍ଷରୁ ମଧ୍ୟ ଏଥିରେ ଯୋଗଦାନ ରହିଥାଏ ।