୧୬ ଲୋକସଭା ସିଟ୍ ଉପରେ ବିଜେପିର ନଜର, ଆଶାୟୀଙ୍କୁ ଟିକେଟ୍ ପାଇଁ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ


ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଦଳର ନଜର ଅଧିକ ଲୋକସଭା ସିଟ୍ ଜିତିବା ଉପରେ ରହିଛି । କେଉଁ ପ୍ରାର୍ଥୀଙ୍କୁ କେଉଁ ଆସନରେ ଟିକେଟ୍ ଦେଲେ ନିର୍ବାଚନ ଜିତି ହେବେ, ସେ ନେଇ ଖସଡା ପ୍ରସ୍ତୁତ ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନୂଆ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି । ଦୁଇ ନେତା ସୋମବାର ରାଜ୍ୟ କାର୍ଯ୍ୟାଳୟରେ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି, ନବନିଯୁକ୍ତ ଲୋକସଭା ପ୍ରଭାରୀ ଓ ମୋର୍ଚ୍ଚା ସଭାପତିମାନଙ୍କ ସହ ପୃଥକ ପୃଥକ ଆଲୋଚନା କରି ମତାମତ ଲୋଡିବେ । ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ଦେବେ । ଏହାକୁ ଆଧାର କରି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ କରିବେ ।

ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି ଏଥର ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ । ଦଳ ୮୦ରୁ ଅଧିକ ବିଧାନସଭା ସିଟ୍ ଜିତିବ ଏବଂ ଲୋକସଭାରେ ୧୬ରୁ ଅଧିକ ଆସନରେ ବିଜୟଲାଭ କରିବ । ଏହାକୁ ଦୃଷ୍ଟିରେ ରଖି ରଣନୀତି ପ୍ରସ୍ତୁତ କରାଯାଉଛି । ସହପ୍ରଭାରୀ ଲତା ଉସେଣ୍ଡି କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଏଥର ବିଜେପି ହିଁ ସରକାର ଗଢିବ । ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ପାଇଁ ବହୁ ବିକାଶମୂଳକ କାର୍ଯ୍ୟ ହୋଇଛି । ବିଜେପି ଓଡିଶାରେ ଏକା ନିର୍ବାଚନ ଲଢି ଜିତିବ ।

ସୂଚନାଯୋଗ୍ୟ, କିଛି ଦିନ ତଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଦଳର ବରିଷ୍ଠ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବା ପରେ ଲୋକସଭା ପ୍ରଭାରୀ ନିଯୁକ୍ତ କରାଯାଇଥିଲା । କେଉଁ ଆସନରେ କେଉଁ ଆଶାୟୀଙ୍କୁ ଟିକେଟ୍ ଦିଆଯିବ ସେ ନେଇ ଏକ ପ୍ରାରମ୍ଭିକ ତାଲିକା ପ୍ରସ୍ତୁତ ହୋଇଛି । ନବ ନିଯୁକ୍ତ ପ୍ରଭାରୀ ଓ ସହପ୍ରଭାରୀ ଆଜି ଆଲୋଚନା କରିବା ପରେ ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କୁ ରିପୋର୍ଟ ଦେବେ । ବିଶେଷ କରି ଦଳ ଲୋକସଭା ଉପରେ ଅଧିକ ଫୋକସ କରିଛି । ଏହା ସହିତ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହେବ । ଫଳରେ ଆଗାମୀ ଦିନରେ ବିଜେପିର ଜାତୀୟସ୍ତରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।