ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପୁରା ଚଳଚଂଚଳ ବିଜେପି ଶିବିର । ଦଳର ନଜର ଅଧିକ ଲୋକସଭା ସିଟ୍ ଜିତିବା ଉପରେ ରହିଛି । କେଉଁ ପ୍ରାର୍ଥୀଙ୍କୁ କେଉଁ ଆସନରେ ଟିକେଟ୍ ଦେଲେ ନିର୍ବାଚନ ଜିତି ହେବେ, ସେ ନେଇ ଖସଡା ପ୍ରସ୍ତୁତ ଚାଲିଛି । ନିର୍ବାଚନ ପୂର୍ବରୁ ଏବେ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ଆଗମନ ହେବାରେ ଲାଗିଛି । ଅନ୍ୟପଟେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନୂଆ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି । ବିଜେପି ଶିବିର ତତ୍ପର ହୋଇ ଉଠିଛି । ଏବେ କେନ୍ଦ୍ରୀୟ ନେତା ଓଡିଶା ଆସି ବିଭିନ୍ନ ସଂସଦୀୟ କ୍ଷେତ୍ର ପରିଦର୍ଶନ କରିବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ ।
ଏହିକ୍ରମରେ ଆସନ୍ତାକାଲି ଶିବରାଜସିଂହ ଚୌହାନ ଓଡିଶା ଆସି କଟକ ଓ ଜଗତସିଂହପୁର ଗସ୍ତ କରିବେ । ଆଉ ୧୫ ତାରିଖରେ ନୀତିନ ଗଡକରୀ ଆସିବାର କାର୍ଯ୍ୟକ୍ରମ ରହିଛି । ତାଙ୍କର ପୁରୀରେ କାର୍ଯ୍ୟକ୍ରମ ରହିଛି । ୨୨ ତାରିଖରେ ବରିଷ୍ଠ ନେତା ରାଜନାଥ ସିଂ ଗସ୍ତ କରିବେ । ହେଲେ ତାଙ୍କର କାର୍ଯ୍ୟକ୍ରମ ପରେ ଚୂଡାନ୍ତ ହେବ । ମାସ ଶେଷରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ କରିବାର ଅଛି । ଏ ନେଇ ସୋମବାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଅନ୍ୟପଟେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନୂଆ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡି । ଦୁଇ ନେତା ସୋମବାର ରାଜ୍ୟ କାର୍ଯ୍ୟାଳୟରେ ବିଜେପି ପଦାଧିକାରୀ, ଜିଲ୍ଲା ସଭାପତି, ନବନିଯୁକ୍ତ ଲୋକସଭା ପ୍ରଭାରୀ ଓ ମୋର୍ଚ୍ଚା ସଭାପତିମାନଙ୍କ ସହ ପୃଥକ ପୃଥକ ଆଲୋଚନା କରି ମତାମତ ଲୋଡିବେ । ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ଦେବେ । ଏହାକୁ ଆଧାର କରି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଓଡିଶା ପାଇଁ ରଣନୀତି ପ୍ରସ୍ତୁତ କରିବେ ।