ଓଡିଶା ଗସ୍ତରେ ଆସିବେ ପ୍ରିୟଙ୍କା ଗାନ୍ଧୀ ଓ ସଚିନ ପାଇଲଟ୍‌, ଟିକେଟ୍ ବଂଟନ ଉପରେ ଦଳ ଦେଉଛି ଜୋର


ଭୁୁବନେଶ୍ୱର: ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରସ୍ତୁତି ଜୋରଦାର କରିଛି । କେନ୍ଦ୍ରୀୟ ନେତାଙ୍କ ଆଗମନରେ କଂଗ୍ରେସ ଶିବିର ତତ୍ପର ହୋଇ ଉଠିଛି । ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଏବେ ଓଡିଶା ଗସ୍ତରେ ଆସିବେ ଦଳର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ । ତାଙ୍କ ସହ ବରିଷ୍ଠ ନେତା ସଚିନ ପାଇଲଟ୍ ମଧ୍ୟ ଆସି ପାରନ୍ତି । ତେବେ ଏ ନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇ ନାହିଁ । ବିଜେପି ପରି କଂଗ୍ରେସର ଜାତୀୟ ଦଳର ନେତାଙ୍କ ମଧ୍ୟ ଓଡିଶା ଛୁଟିବାର କାର୍ଯ୍ୟକ୍ରମ ରହିଛି ।

ନିକଟରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଓଡିଶା ଗସ୍ତ କରିଥିଲେ । ଏହି ଗସ୍ତରେ ସେ ବିଜେପି ଓ ବିଜେଡିକୁ ଶାଣିତ ସ୍ୱରରେ ହମଲା କରିଥିଲେ । ଏଠାରେ ବିଜେପି ଓ ବିଜେଡିର ପାର୍ଟନରସିପ ସରକାର ଚାଲିଥିବା କହିଥିଲେ । ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉଭୟ ବିଜେପି ଓ ବିଜେଡିକୁ ମଧ୍ୟ ନିଶାଣ କରିଥିଲେ । ୨୦୨୪ ନିର୍ବାଚନ ଦେଶ ପାଇଁ ଶେଷ ନିର୍ବାଚନ ବୋଲି କହିଥିଲେ । ଯଦି ଗଣତନ୍ତ୍ରକୁ ବଂଚାଇବାର ଅଛି ତେବେ ଠିକ୍ ଦଳକୁ ଭୋଟ୍ ଦିଅନ୍ତୁ ବୋଲି ଜନତାଙ୍କୁ ଅପିଲ୍ କରିଥିଲେ । ପ୍ରଭାରୀ ଦାୟିତ୍ୱ ସମ୍ଭାଳିବା ପରେ ଅଜୟ କୁମାର ଘନ ଘନ ଓଡିଶା ଗସ୍ତ କରି କଂଗ୍ରେସ ଶିବିରକୁ ଚଳଚଂଚଳ କରାଇଛନ୍ତି ।

ଏଥର ନିର୍ବାଚନରେ କଂଗ୍ରେସ ଆଗୁଆ ଟିକେଟ୍ ବାଂଟିବାକୁ ଯୋଜନା କରିଛି । ଏଥିପାଇଁ ଦଳ ଅନଲାଇନ ଜରିଆରେ ଆଶାୟୀଙ୍କଠୁ ଆବେଦନ ମାଗିଛି । ଏହି ପ୍ରଜେକ୍ଟର ନାଁ ପ୍ରଗମନ ରହିଛି । ଏ ପର୍ଯ୍ୟନ୍ତ ବିଧାନସଭା ପାଇଁ ଆବେଦନ କରିଥିବା ପାଖାପାଖି ୩ ହଜାର ଓ ଲୋକସଭା ପାଇଁ ୭୦୦ରୁ ଅଧିକ ଆଶାୟୀଙ୍କ ଆବେଦନର ଯାଂଚ ଜାରି ରହିଛି । ଆସନ୍ତା ୧୯ ତାରିଖରେ ରାଜ୍ୟ କଂଗ୍ରେସ ନିର୍ବାଚନ କମିଟିର ବୈଠକ ଅନୁଷ୍ଠିତ ହେବ । କମିଟି ଚୟନ କରିଥିବା ନାଁକୁ ସ୍କ୍ରିନିଂ କମିଟିକୁ ପଠାଯିବ ।