ଭୁୁବନେଶ୍ୱର: ଓଡିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହ୍ୱାନ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ସମାଲୋଚନା କରିଛନ୍ତି ଶିବରାଜ । ଓଡିଶାରେ ଆଉଟସୋର୍ସିଂ ସରକାର ଚାଲିଛି । ନବୀନ ବାବୁ ନିଜେ ସରକାର ଚଳାଇ ପାରୁ ନାହାନ୍ତି । ରାଜ୍ୟକୁ ଆଉଟସୋର୍ସିଂ ହାତକୁ ଟେକି ଦେଇଛନ୍ତି । ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀ ସରକାର ଚଳାଉଥିବା ଶିବରାଜ କହିଛନ୍ତି ।
ସେ କହିଛନ୍ତି, ବେଲଗାମ ଅଧିକାରୀ ସାରା ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇଛନ୍ତି । ଓଡିଶାରେ ମହିଳା ଅସୁରକ୍ଷିତ, ମା ଭଉଣୀଙ୍କ ଉପରେ ଅତ୍ୟାଚାର ହେଉଛି । ତେଣୁ ଏଥର ଜନତା ଏହି ଦଳକୁ ବିତାଡିତ କରିବ । ବିଜେପି ବହୁମତ ସହ ସରକାର ଗଢିବ । ଲୋକସଭାରେ ବିଜେପି ବିପୁଳ ଭୋଟ୍ ପାଇବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ସରକାର କରିବ ବିଜେପି । ଓଡିଶାରେ ବିଜେପି ପୁରା ତାକତରେ ନିର୍ବାଚନ ଲଢିବ ଓ ସରକାର ଗଢିବ । ଓଡିଶାର ବିକାଶ ପାଇଁ ମୋଦୀ ଦେଉଥିବା ଅର୍ଥ ସଠିକ ବିନିଯୋଗ ହେଉନି । ମୋଦୀ ଟଙ୍କା ଦେଉଛନ୍ତି ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି । ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ଡିଂ କରୁଛନ୍ତି । ସାଧାରଣ ଲୋକେ ଏ କଥା ଜାଣି ସାରିଲେଣି ବୋଲି ଶିବରାଜ କହିଛନ୍ତି ।
ଏହା ପୂର୍ବରୁ ଦିନ ପ୍ରାୟ ୧୨ଟାରେ ଭୁବନେଶ୍ୱରରେ ପହଂଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିଥିଲେ । ସେଠାରେ ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀକୁ ସମ୍ବୋଧିତ କରି ନବୀନ ସରକାରକୁ ଏମିତି ବର୍ଷିଛନ୍ତି ଶିବରାଜ । ଏହା ପରେ ମା ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ । ସନ୍ଧ୍ୟାରେ କଟକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ।