ବିଜେପିରେ ସାମିଲ୍ ହେଲେ ଅଶୋକ ଚହ୍ୱାଣ, ହେଲେ ପ୍ରଥମ ଇଚ୍ଛା ରହିଗଲା ଅଧୁରା


ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ୱାଣ ମଙ୍ଗଳବାର ନୂଆ ଆଶା ସହ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେଇଛନ୍ତି । ହେଲେ ତାଙ୍କର ପ୍ରଥମ ଇଚ୍ଛା ଅଧୁରା ରହି ଯାଇଛି । ଚହ୍ୱାଣଙ୍କ ଇଚ୍ଛା ଥିଲା ସେ ଦିଲ୍ଳୀରେ ବିଜେପିର ସଦସ୍ୟତା ଗ୍ରହଣ କରିବେ ଏବଂ ଏହି ସମୟରେ ତାଙ୍କ ସହ ଅମିତ ଶାହ ଉପସ୍ଥିତ ରହିବେ । ହେଲେ ପାର୍ଟିର ବରିଷ୍ଠ ନେତା ତାଙ୍କୁ ମୁମ୍ବାଇରେ ବିନା ଅମିତ୍ ଶାହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ୍ କରାଇଛନ୍ତି ।

ମୁମ୍ବାଇ ସ୍ଥିତ ବିଜେପି ଅଫିସରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଓ ରାଜ୍ୟ ପାର୍ଟି ପ୍ରମୁଖ ଚନ୍ଦ୍ରଶେଖର ବାବନଫୁଲଙ୍କ ଉପସ୍ଥିତିରେ ଅଶୋକ ଚହ୍ୱାଣଙ୍କୁ ପାର୍ଟିର ସଦସ୍ୟତା ଦେଇଛନ୍ତି । ଏହା ପୂର୍ବରୁ ଅଶୋକ ଚହ୍ୱାଣ ସୋମବାର ଅଚାନକ କଂଗ୍ରେସରୁ ଇସ୍ତଫା ଦେଇ ସଭିଙ୍କୁ ହତଚକିତ କରିଥିଲେ । ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ତେବେଠୁ କଳ୍ପନା ଜଳ୍ପନା ଲାଗି ରହିଥିଲା ସେ ବିଜେପିରେ ସାମିଲ୍ ହେବେ । କିନ୍ତୁ ସେ ଏ ନେଇ କିଛି ସ୍ପଷ୍ଟ କରି ନ ଥିଲେ । କିନ୍ତୁ କହିଥିଲେ ସମୟ ଆସିଲେ ନିଶ୍ଚୟ ନିଜର ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିବେ ।

ସୂତ୍ର ଅନୁଯାୟୀ, ଅଶୋକ ଚହ୍ୱାଣ ଆସନ୍ତାକାଲି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେପି ତାଙ୍କୁ ମହାରାଷ୍ଟ୍ରରୁ ରାଜ୍ୟସଭା ପଠାଇବା ପାଇଁ ପ୍ରସ୍ତୁତି କରୁଛି । ନାମାଙ୍କନ ପତ୍ର ଦାଖଲ କରିବାର ତାରିଖ ପାଖଉଥିବାରୁ ତରବରିଆ ଭାବେ ତାଙ୍କୁ ଆଜି ପାର୍ଟିର ସଦସ୍ୟତା ଦିଆଯାଇଛି ।