ଭୁୁବନେଶ୍ୱର: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ବୁଧବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଅଂଶୁମାନ ମହାନ୍ତି ଇସ୍ତଫା ଦେଇଛନ୍ତି । ପିସିସି ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଅଂଶୁମାନ ମହାନ୍ତି ।
କେନ୍ଦ୍ରାପଡା ରାଜନଗରର ପୂର୍ବତନ ବିଧାୟକ ହେଉଛନ୍ତି ଅଂଶୁମାନ ମହାନ୍ତି । ୨୦୧୪ରୁ ୨୦୧୯ ଯାଏ ସେ ରାଜନଗରର ବିଧାୟକ ଥିଲେ । ନିକଟରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ରାହୁଲଙ୍କ ରାଉରକେଲା ଯାତ୍ରା ବେଳେ ସେଠାରେ ସେ ଥିଲେ। ସେ ହେଉଛନ୍ତି ପୂର୍ବତନ ବିଧାୟକ ନଳିନୀକାନ୍ତ ମହାନ୍ତିଙ୍କ ପୁଅ । ତେବେ କେଉଁ କାରଣରୁ ସେ ଦଳ ଛାଡିଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିଥିବା କଂଗ୍ରେସକୁ ଝଟକା ଲାଗିଛି । ଉଲ୍ଲେଖନୀୟ ଦଳ ବର୍ତମାନ ନିଜ ଘର ସଜାଡିବାରେ ଲାଗି ପଡିଛି । ଆଉ ଏହି ସମୟରେ ଦଳ ନେତା ଛାଡିବା ଦଳର ମନୋବଳକୁ ପ୍ରଭାବିତ କରିପାରେ ।
ଅଂଶୁମାନଙ୍କ ଏବେ ବିଜେଡି କିମ୍ବା ବିଜେପିରେ ମିଶିବାର ଚର୍ଚ୍ଚା ଲାଗି ରହିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଂଶୁମାନ ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲା । ପୁଣି ଗତ ଛଅ ମାସ ତଳେ ତାଙ୍କୁ ବୈଜୟନ୍ତ ପଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା । ତେଣୁ ସେ ବିଜେପିରେ ମିଶି ପାରନ୍ତି ବୋଲି କୁହାଯାଉଥିଲା ।