Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଟିଲା ସସପେନ୍ସ, ଓଡିଶାରୁ ଅଶ୍ୱିନୀ ବୈଷ୍ଣବ ହେଲେ ରାଜ୍ୟସଭା ପ୍ରାର୍ଥୀ; ବିଜେଡି ଦେବ ସମର୍ଥନ

ଭୁୁବନେଶ୍ୱର: ସବୁ କଳ୍ପନା ଜଳ୍ପନା ଉପରୁ ହଟିଲା ପରଦା । ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀଙ୍କ ନାଁ ଘୋଷଣା କରିଛି ବିଜେପି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନ୍ୟପଟେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ପୁଣି ଥରେ ବିଜେଡି ସମର୍ଥନ ଜଣାଇଛନ୍ତି । ଏଥିସହ ଓଡିଶାରୁ ରାଜ୍ୟସଭା ପାଇଁ ୩ ପ୍ରାର୍ଥୀ ଚୂଡାନ୍ତ ହୋଇଛି । ଗତକାଲି ବିଜେଡିର ୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି ।

ପ୍ରେସ୍ ବିବୃତି ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ସମର୍ଥନ ଘୋଷଣା କରିଛନ୍ତି । ଓଡିଶାର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଘୋଷଣା କରାଯାଇଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହା ପୂର୍ବରୁ ୨୦୧୯ରେ ମଧ୍ୟ ବିଜେଡି ସମର୍ଥନରେ ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ଯାହାର ପୁନରାବୃତି ଘଟିଛି । ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଂଟିଆ ପ୍ରାର୍ଥୀ ହୋଇ ସାରିଛନ୍ତି ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି (ବୁଧବାର) ଓଡିଶା ଗସ୍ତରେ ଆସୁଛନ୍ତି। ଗୁରୁବାର ଦିନ ହିଁ ରାଜ୍ୟସଭା ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ଅଶ୍ୱିନୀ ବୈଷ୍ଣବ ଓଡିଶା ଗସ୍ତରେ ଆସିବା ସହିତ ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ।

ଗତକାଲି କଟକ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଂଟିଆ ବିଧାନସଭା ରିଟଣ୍ଣିଂ ଅଫିସରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ତୃତୀୟ ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଚାଲିଥିଲା ? ଅଶ୍ୱିନୀ ବୈଷ୍ଣବଙ୍କୁ ପୁଣି ଥରେ ବିଜେଡି ସମର୍ଥନରେ ରାଜ୍ୟସଭା ପଠାଯାଇପାରେ ବୋଲି ଗତ ୨ ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା । ଆଉ ଆଜି ଏହା ଉପରେ ମୋହର ମାରିଛନ୍ତି ଉଭୟ ବିଜେପି ଓ ବିଜେଡି ।

More Stories