ବିଜେଡି ସବୁ ବେଳେ ବିଜେପିକୁ ସମର୍ଥନ ଦେଉଛି, ତେଣୁ ଓଡିଶାରେ ସିବିଆଇ-ଇଡି ରେଡ୍ ହେଉନି: ଅଜୟ କୁମାରଙ୍କ କଟାକ୍ଷ


ଭୁୁବନେଶ୍ୱର: ସସପେନ୍ସ ହଟିଲା ଆଉ ଓଡିଶାରୁ ପୁଣି ଥରେ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ । ତା ସହ ଅଶ୍ୱିନୀଙ୍କୁ ଶାସକ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି ଘୋଷଣା କରିଛି । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ କଟାକ୍ଷ କରିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏକ୍ସ ଜରିଆରେ ଡ. ଅଜୟ କୁମାର ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି ଦୁଇ ଦଳ ମଧ୍ୟରେ ବୈବାହିକ ମେଂଟ ପ୍ରକ୍ରିୟା ଆଗେଇ ଚାଲିଛି । ବିଜେଡି ସବୁ ବେଳେ ବିଜେପିକୁ ସମର୍ଥନ ଦେଇ ଆସିଛି । ତେଣୁ ବ୍ୟାପକ ଦୁର୍ନୀତି ସତ୍ୱେ କାହିଁକି ଓଡିଶାରେ ରେଡ୍ ହେଉନି ତାହା ଲୋକେ ବୁଝିଗଲେ । ନବୀନ ଓ ପାଣ୍ଡିଆନଙ୍କ ଉପରେ କାହିଁକି ସିବିଆଇ ଓ ଇଡି ରେଡ୍ କରୁନି ତାହା ବୁଝିଗଲେଣି । ଆଉ ଜନତା ଆଗାମୀ ଦିନରେ ଏହାର ଜବାବ ଦେବେ । ତେବେ ଅଜୟ କୁମାରଙ୍କ ପ୍ରତିକ୍ରିୟା ଉପରେ ବିଜେଡି ଓ ବିଜେପି ପକ୍ଷରୁ କୌଣସି ଜବାବ ମିଳିନି ।

ସୂଚନାଯୋଗ୍ୟ, ପୁଣି ଥରେ ବିଜେଡି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ସମର୍ଥନ ଜଣାଇଛି । ଏଥିସହ ଦଳ ୨୦୧୯ର ସମୀକରଣକୁ ପୁଣି ଥରେ ଦୋହରାଇଛି । ୨୦୧୯ ଜୁନରେ ଅଶ୍ୱିନୀଙ୍କୁ ବିଜେପି ପ୍ରାର୍ଥୀ କରିଥିଲା ଏବଂ ବିଜେଡି ସମର୍ଥନରେ ସେ ରାଜ୍ୟସଭାକୁ ଯାଇଥିଲେ । ଏଥର ବି ସଂଖ୍ୟା ବଳ ଦୃଷ୍ଟିରୁ ବିଜେଡି ହାତରେ ୩ଟି ରାଜ୍ୟସଭା ଆସନ ଥିଲା । ହେଲେ ଦଳ ବିଜେପି ପ୍ରାର୍ଥୀକୁ ସମର୍ଥନ କରିବାକୁ ଘୋଷଣା କରିଛି । ଆଉ ଏଥିରୁ ପୁଣି ଥରେ ସ୍ପଷ୍ଟ ହୋଇ ଯାଇଛି ଯେ, ରାଜ୍ୟରେ ବିଜେପି ଓ ବିଜେଡିର ମଙ୍ଗୁଆଳ ସରକାର ଚାଲିଛି ।