ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସୋନିଆ ଗାନ୍ଧୀ, କଂଗ୍ରେସରୁ ୩ ପ୍ରାର୍ଥୀ ଘୋଷଣା


ନୂଆଦିଲ୍ଲୀ: ଲୋକସଭା ପୂର୍ବରୁ ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟଠୁ ନେଇ ଜାତୀୟସ୍ତରର ରାଜନୀତି ସରଗରମ ରହିଛି । ଏହି କ୍ରମରେ କଂଗ୍ରେସ ପକ୍ଷରୁ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସୋନିଆ ଗାନ୍ଧୀ ରାଜସ୍ଥାନର ରାଜଧାନୀ ଜୟପୁର ପହଂଚି ନାମାଙ୍କନ ଦାଖଲ କରି ସାରିଛନ୍ତି । ତାଙ୍କର ଏହି ନିଷ୍ପତି ପରେ ଗାନ୍ଧୀ ପରିବାରର ଗଡ କୁହାଯାଉଥିବା ରାୟବରେଲି ସିଟକୁ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି ।

କଂଗ୍ରେସ ରାଜସ୍ଥାନରୁ ସୋନିଆଙ୍କ ବ୍ୟତୀତ ବିହାରରୁ ଡ. ଅଖିଳେଶ ପ୍ରତାପ ସିଂ, ହିମାଚଳ ପ୍ରଦେଶରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି ଓ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋରେଙ୍କୁ ପ୍ରାର୍ଥୀ କରିଛି । ଜୟପୁର ପହଂଚିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଅନ୍ୟ ନେତା ସୋନିଆ ଗାନ୍ଧୀଙ୍କୁ ସ୍ୱାଗତ କରିଛନ୍ତି । ଏହା ପରେ ସୋନିଆ ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ପାର୍ଟିର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରହିଥିଲେ ।

ସୂଚନାଯୋଗ୍ୟ, ବିଜେପି ପକ୍ଷରୁ ମଧ୍ୟ ଆଜି ଦୁଇ ଜଣଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ବିଜେପି ମଧ୍ୟପ୍ରଦେଶରୁ ଏଲ ମୁରୁଗନ ଓ ଓଡିଶାରୁ ପୁଣି ଥରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି । ସୂଚନାଯୋଗ୍ୟ, ରାଜ୍ୟସଭାର ୫୬ ସିଟ୍ ଉପରେ ନିର୍ବାଚନ ହେବାକୁ ଯାଉଛି । ଦଳଗୁଡିକ କିଭଳି ଅଧିକରୁ ଅଧିକ ପ୍ରାର୍ଥୀ ଉଚ୍ଚସଦନକୁ ପଠାଇବେ ସେ ନେଇ ସଂଖ୍ୟାବଳ ଯୋଗାଡ କରିବା ସହ ସମୀକରଣ ଯୋଗାଡରେ ଲାଗି ପଡିଛନ୍ତି ।