ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଘରେ ଇଡି ରେଡ୍‌, ୧୦ଟି ସ୍ଥାନରେ ଚାଲିଛି ଚଢଉ


ଭୁୁବନେଶ୍ୱର: ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଆଜି ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ ମାରିଛି । କେନ୍ଦ୍ରୀୟ ଏଜେନ୍ସି ଏକକାଳୀନ ୧୦ରୁ ଅଧିକ ସ୍ଥାନରେ ରେଡ୍ ମାରିଛି । ଭୁୁବନେଶ୍ୱରରେ ୪ଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ରେଡ୍ ମାରିଛି । ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ଚଢଉ କରିଛି । ୨୦ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ କରିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢାଉ କରିଛି । ଅଧିକାରୀମାନେ ବିଧାୟକଙ୍କ ଘରେ କାଗଜପତ୍ର ଯାଂଚ କରୁଥିବା ଜଣା ପଡୁଛି । ୭ରୁ ୮ ବର୍ଷ ତଳେ ଇଞ୍ଜିନିୟରିଂ କଲେଜରେ କୋଟି କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । କଲେଜ ନାମରେ ପ୍ରଫୁଲ ସାମଲଙ୍କ ପୁଅ ଜମି ଆଣି ପରବର୍ତୀ ସମୟରେ ବିଲଡରଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଉ ଏହି ସଂଶ୍ଳିଷ୍ଟ ଥିବା ଅଭିଯୋଗରେ ବିଜେଡି ବିଧାୟକଙ୍କ ଘରେ ଆଜି ଇଡି ଚଢଉ କରିଛି । ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଅପର୍ତିବିନ୍ଧାସ୍ଥିତ ଘରେ ରେଡ୍ କରାଯାଇଥିବା ଜଣା ଯାଇଛି ।