Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରବି ଚାଷ ଜଳସେଚନ ନେଇ ଚିନ୍ତା ୪୫ ପ୍ରତିଶତରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର।

କୋକସରା:୧୭/୦୨ କଳାହାଣ୍ଡି ଜିଲ୍ଲା ଚାଷି ଙ୍କ ପାଇଁ ଜୀବନରେଖା ସାଜିଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ବିଗତ ୨୫ବର୍ଷ ଧରି କୃଷି କ୍ଷେତ୍ରରେ ସୁବୁଜ ବିପ୍ଳବ ଆଣିଥିବା ବେଳେ ଚାଷି ଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବାରେ ନୂତନ ସମ୍ଭାବନା ସୃଷ୍ଟି କରିଛି। ତେବେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ରବି ଜଳସେଚନ କ୍ଷେତ୍ରରେ ଆଶଙ୍କା ଉତ୍ପନ୍ନ କରି ସାରିଲାଣି । ଚଳିତ ରବିରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଜଳ ସଂରକ୍ଷଣ ଗତ ବର୍ଷ ତୁଳନାରେ ୨ ମିଟର କମ ଥିବା ସତ୍ତ୍ବେ ୭୧ ହଜାର ହେକ୍ଟର ଜମିରେ ଜଳସେଚନ ଦିଆଯାଉ ଥିବାରୁ ଅନ୍ତିମ ପର୍ଯ୍ୟାୟରେ ଜଳସେଚନ ରେ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ଏବେଠାରୁ ଚାଷୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ବିଭାଗର ଘୋଷଣା ମୁତାବକ ପର୍ଯ୍ୟାୟ କ୍ରମେ ଜଳସେଚନର ବ୍ୟବସ୍ଥା ଗ୍ରହଣ ନ କଲେ ଆଗାମୀ ଦିନରେ ସୁରକ୍ଷିତ ଜଳସେଚନ କ୍ଷେତ୍ରରେ ବ୍ୟାହତ ସୃଷ୍ଟି ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଆରମ୍ଭ ହେଲାଣି । ଚଳିତ ରବି ଜଳସେଚନ ଜାନୁଆରୀ ୮ ତାରିଖରୁ ମଙ୍ଗଳପୁର ସ୍ଥିତ ହାତୀ ବେରେଜରୁ ବାମ ଦକ୍ଷିଣ ଓ ମେଗା ଲିଫ୍ଟ କେନାଲର ୭୧, ୨୭୪ ହେକ୍ଟର ଜମିରେ ଜଳସେଚନ ଆରମ୍ଭ କରାଗଲା । ଗତ ବର୍ଷ ଏହି ଦିନରେ ୬୩୮.୨୦୫ ମିଟର ଜଳ ସ୍ତର ଥାଇ ୫୨,୦୦୦ ହଜାର ହେକ୍ଟର ଜମିରେ ଜଳସେଚନ କରାଯାଇ ଥିବାବେଳେ ଚଳିତ ବର୍ଷ ୬୩୬.୪୫ ମିଟର ଅର୍ଥାତ୍ ଦୁଇ ମିଟର କମ ପାଣି ଗଚ୍ଛିତ ଥାଇ ୭୧, ୨୭୪ ହେକ୍ଟର ଅର୍ଥାତ ହାରାହାରି ୨୦ହଜାର ହେକ୍ଟର ଅଧିକ ଜମିରେ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି । ଇନ୍ଦ୍ରାବତୀର ଅନ୍ତଃ ସ୍ରୋତ କ୍ରମଶଃ କମି ଆସୁଥିବାରୁ ଜଳସ୍ତର ୬୩୨ ମିଟରକୁ ପହଞ୍ଚିବା ପରେ ପରବର୍ତ୍ତୀ ସମୟରେ ଜଳସେଚନ ସମସ୍ୟା ଦେଖାଦେଇ ପାରେ ବୋଲି ଆଲୋଚନା ହେଉଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ ସୀମା ୬୪୨ ମିଟର ଅର୍ଥାତ୍ ୧,୪୮, ୫୫୦ହେକ୍ଟର ମିଟର ଥିବା ବେଳେ ଏବର ସ୍ଥିତିରେ ଜଳଭଣ୍ଡାରର ଜଳସ୍ତର ୬୩୪.୨୬୫ ମିଟର ଅର୍ଥାତ ୬୮୦୭୧ହେକ୍ଟର ମିଟରକୁ ଛୁଇଁ ୪୫ ପ୍ରତିଶତରେ ପହଞ୍ଚି ସାରିଥିବା ସୂଚନା ମିଳିଛି । ଜଳ ଭଣ୍ଡାରରୁ ଜଳସେଚନ ପାଇଁ ୬୨୫ ମିଟର ପର୍ଯ୍ୟନ୍ତ ସର୍ବନିମ୍ନ ସ୍ତର ରଖାଯାଇ ଥିବା ବେଳେ ବାସ୍ତବରେ ୬୨୭ ମିଟର ପହଞ୍ଚିବା ପର୍ଯ୍ୟନ୍ତ ଜଳସେଚନ ଦିଆଯାଇ ପାରିବ ବୋଲି ସୂଚନା ମିଳିଛି । ସର୍ବନିମ୍ନ ସ୍ତରରୁ ୬୨୭ ମିଟର ପର୍ଯ୍ୟନ୍ତ ୧୭, ୩୦୭ ହେକ୍ଟର ମିଟର ପାଣି ସଂରକ୍ଷିତ ରହୁଥିବା ସତ୍ତ୍ବେ ସାଂପ୍ରତିକ ସ୍ଥିତିରେ ମୋଟ ୬୮,୦୭୧ ହେକ୍ଟର ପାଣି ଗଚ୍ଛିତ ରହିଛି । ଏଠାରେ ଚାଷ ଉପଯୋଗୀ ପାଣିର ପରିମାଣ ମାତ୍ର ୫୦, ୭୬୪ ହେକ୍ଟର ମିଟର ରହିଥିବା ସୂଚନା ମିଳିଛି । ଅନ୍ୟ ପଟରେ ଜଳଭଣ୍ଡାର ମଧ୍ୟକୁ ଅନ୍ତଃ ସ୍ରୋତ ଭାବରେ ୨୮ କ୍ୟୁମାକ୍ସ ପାଣି ପ୍ରବେଶ କରୁଥିବା ସୂଚନାରୁ ପ୍ରକାଶ । ଏଭଳି ସ୍ଥିତିରେ ଜଳ ସମ୍ପଦ ବିଭାଗ କୌଣସି ସ୍ଥିତିର ବଶବର୍ତ୍ତୀ ହୋଇ ଅଧିକ ଜମିରେ ଜଳ ସେଚନ ଦେଇ ଆଦୁରଦର୍ଶିତାର ପରିଚୟ ଦେଇ ସାରିଥିବା ବେଳେ ଚାଷକୁ ସୁରକ୍ଷିତ ରଖିବା ପାଇଁ ପର୍ଯ୍ୟାୟ କ୍ରମେ ଜଳସେଚନର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଆଲୋଚନା ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ