ଅଚାନକ ଦିଲ୍ଲୀ ଗସ୍ତରେ କମଲନାଥ, Xରୁ କଂଗ୍ରେସର ନାଁ ହଟାଇଲେ ନକୁଲ ନାଥ; ଚର୍ଚ୍ଚା ଜୋର


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲନାଥ ଓ ତାଙ୍କ ପୁଅ ନକୁଲନାଥଙ୍କ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି କମଲନାଥ ଓ ତାଙ୍କ ପୁଅ ଆଜି ଦିଲ୍ଲୀ ଯିବେ । କେବଳ ଏତିକି ନୁହେଁ ସାଂସଦ ନକୁଲନାଥ ଏକ୍ସ ହ୍ୟାଣ୍ଡେଲରୁ କଂଗ୍ରେସର ନାମ ମଧ୍ୟ ହଟାଇ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟପ୍ରଦେଶର ବିଜେପି ରାଜ୍ୟ ସଭାପତି ଭିଡି ଶର୍ମା ଉଭୟଙ୍କୁ ଖୋଲା ହୃଦୟରେ ବିଜେପି ସ୍ୱାଗତ କରିବ ବୋଲି କହିଥିଲେ । ଏହା ସହିତ ବିଜେପିର କୌଣସି ନେତା ମଧ୍ୟ କଲମନାଥ ଓ ନକୁଲନାଥଙ୍କ ବିରୋଧରେ କୌଣସି ବୟାନବାଜି ମଧ୍ୟ କରୁ ନ ଥିଲେ ।
ସୂଚନା ଅନୁଯାୟୀ, କଲମନାଥ ଛିନ୍ଦୱାଡା ଗସ୍ତକୁ ଅଧାରେ ଛାଡି ଦିଲ୍ଲୀ ଯାତ୍ରା କରିବେ । ସେ ଆଜି ଅପରାହ୍ଣ ପ୍ରାୟ ୩ଟା ୧୫ରେ ଦିଲ୍ଲୀରେ ପହଂଚିବେ ।

ଏହା ପୂର୍ବରୁ କଂଗ୍ରେସ ନେତା ଦିଗବିଜୟ ସିଂ କମଲନାଥଙ୍କ ବିଜେପିରେ ସାମିଲ୍ ହେବାର କଳ୍ପନା ଜଳ୍ପନାକୁ ଖଣ୍ଡନ କରି କହିଥିଲେ, କମଲନାଥଛିନ୍ଦୱାଡାରେ ଅଛନ୍ତି । ତାଙ୍କ ସହ ଗତକାଲି ରାତିରେ ମୁଁ କଥା ହୋଇଥିଲି । ଯେଉଁ ବ୍ୟକ୍ତି ନିଜର ରାଜନୈତିକ ଜୀବନର ଆରମ୍ଭ ନେହେରୁ-ଗାନ୍ଧୀ ପରିବାର ସହ କରିଥିଲେ, ସେମାନେ ସେ ସମୟରେ କଲମନାଥଙ୍କ ସହ ରହିଥିଲେ । ଯେଉଁ ସମୟରେ ପୁରା ଜନତା ଦଳ ଓ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀଙ୍କୁ ଜେଲ୍ ପଠାଉଥିଲା ସେହି ସମୟରେ ବି କଂଗ୍ରେସ କମଲନାଥଙ୍କ ସହ ରହିଥିଲା । ଆପଣ ତାଙ୍କଠୁ କେମିତି ଆଶା କରି ପାରିବେ ଯେ, ସେ ସୋନିଆ ଗାନ୍ଧୀଙ୍କ ପରିବାରକୁ ଛାଡି ଚାଲିଯିବେ ।