ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ


ଭୁବନେଶ୍ୱର: ନିର୍ବାଚନକୁ ଆଉ କେଇଟା ମାସ ବାକି ରହିଛି । ଓଡିଶା କଂଗ୍ରେସର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କ୍ରମରେ ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ ଦଳ । ଏ ନେଇ ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ବୈଠକରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ପ୍ରଗମନ ଆପରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା ହୋଇଛି । ବିଧାୟକ ପାଇଁ ୩ ହଜାର, ସାଂସଦ ପାଇଁ ୭୦୦ ଆଶାୟୀ ଆବେଦନ କରିଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡିଶାର କେଉଁ ସ୍ଥାନରୁ କେଉଁ ପ୍ରାର୍ଥୀ ଛିଡା ହେବେ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ବୈଠକରେ ପ୍ରସ୍ତୁତ ଚୂଡାନ୍ତ ପ୍ରାର୍ଥୀ ତାଲିକା ଦିଲ୍ଲୀ ସ୍କ୍ରିନିଂ କମିଟି ସମ୍ମୁଖରେ ଉପସ୍ଥାପିତ କରାଯିବ । ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ପିସିସି କମିଟି ବୈଠକ ବସିଛି । ବୈଠକରେ ଚୂଡାନ୍ତ ହୋଇଥିବା ଆଶାୟୀଙ୍କ ନାଁ ଏଆଇସିସିକୁ ସୁପାରିସ କରାଯିବ ।

ସୂଚନାଯୋଗ୍ୟ, ଟିକେଟ୍ ଦେବା ମାମଲାରେ ରାଜ୍ୟର ତିନି ରାଜନୈତିକ ଦଳ ମଧ୍ୟରୁ କଂଗ୍ରେସ ଆଗୁଆ ରହିଛି । କେନ୍ଦ୍ରୀୟ ନେତାଙ୍କ ଆଗମନ ଓ ପ୍ରଭାରୀ ଡ. ଅଜୟ କୁମାରଙ୍କ ସକ୍ରିୟତା ଯୋଗୁଁ ରାଜ୍ୟ କଂଗ୍ରେସ ଶିବିର ତତ୍ପର ହୋଇ ଉଠିଛି । ଦଳ ନିଜର ଘର ସଜାଡିବା ସହ ସଂଗଠନକୁ ମଜବୁତ କରିବାରେ ଲାଗି ପଡିଛି । କଂଗ୍ରେସ ରାଜ୍ୟର ଶାସକ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ସମାଲୋଚନା କରି ନିକଟ ଦିନରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିଛି, ଯାହା ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ।