ବିଜେଡିର ମିଶ୍ରଣ ପର୍ବରେ ବଢୁଛି ପୁରୁଖା ନେତାଙ୍କ ଅଡୁଆ, କହି ହେଉନି କି ସହି ହେଉନି


ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ଦଳ ଡିଆଁ ପର୍ବ ଆରମ୍ଭ ହୋଇ ଯାଇଛି । ପ୍ରାୟତଃ ପ୍ରତି ଦିନ ବିଜେପି ଛାଡି ନେତା ବିଜେଡିରେ ସାମିଲ ହେଉଥିବା ବେଳେ କଂଗ୍ରେସର ନେତା ଓ କର୍ମୀ ମଧ୍ୟ ଶାସକ ଦଳରେ ମିଶୁଛନ୍ତି । ମିଶ୍ରଣ ପର୍ବ ଯେତିକି ବଢୁଛି ବିଜେଡି ନେତାଙ୍କ ମୁଣ୍ଡ ସେତେ ଖରାପ ହେଉଛି । ଦଳର ଆଶାୟୀ ଏବେ ଟିକେଟ୍ ଚିନ୍ତାରେ । ଯେମିତି ଦଳ ବାହାର ନେତାଙ୍କ ଆମଦାନୀ କରୁଛି ସେମିତି ହେଲେ ତାଙ୍କ ଟିକେଟ୍ କଟିବାର ଆଶଙ୍କା କରୁଛନ୍ତି ପୁରୁଣା ନେତା ।

କିଏ ଲୋଭନୀୟ କର୍ପୋରେଟ୍ ଚାକିରିର ମୋହ ଛାଡି ବିଜେଡିରେ ଯୋଗ ଦେଉଛନ୍ତି । ଆଉ ଶୁଣିବାକୁ ମିଳୁଛି ଆଗାମୀ ସମୟରେ ପ୍ରଶାସନିକ ଚାକିରି ଛାଡି କିଛି ଅଧିକାରୀ ବିଜେଡିରେ ଯୋଗ ଦେଇ ପାରନ୍ତି । କିନ୍ତୁ ଏହା ବିଜେଡି ନେତାଙ୍କୁ ହଜମ ହେଉନି । ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଟିକେଟ୍ କଟିବା ଆଶଙ୍କାରେ ନେତାଙ୍କ ମନ ଛଟପଟ ।

ଦଳୀୟ ସୂତ୍ର ଅନୁଯାୟୀ, ବିଜେଡି ପ୍ରାୟ ୭୦ଟି ବିଧାନସଭା ସିଟରେ ନୂଆ ଚେହେରା ଦେଇପାରେ । ସେହିପରି ଲୋକସଭା ଆସନରେ ମଧ୍ୟ ଅଧାରୁ ଅଧା ଆସନରେ ନୂଆ ମୁହଁ ଦେବା ସପକ୍ଷରେ ଅଛି ଦଳ । ଏମିତି ସମୀକରଣ ପୁରୁଖା ନେତାଙ୍କ ଅଙ୍କ ବିଗାଡି ଦେଇଛି । ବିଧାୟକ ଓ ସାଂସଦମାନେ ପୁଣି ଥରେ ଟିକେଟ୍ ପାଇବା ଆଶା ରଖିଥିବା ବେଳେ ମିଶ୍ରଣ ପର୍ବ ସେମାନଙ୍କ ମୁଣ୍ଡ ବ୍ୟଥାକୁ ବଢାଇ ଦେଇଛି । ନିକଟରେ କର୍ପୋରେଟ୍ ଚାକିରି ଛାଡି ବିଜେଡିରେ ମିଶିଛନ୍ତି ଡ. ସଂତୃପ୍ତ ମିଶ୍ର । ତାଙ୍କୁ ଦଳ ଲୋକସଭା ପଠାଇବାର ଅଧିକ ସମ୍ଭାବନା ରହିଛି । ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି ମଧ୍ୟ ବିଜେଡିରେ ମିଶିଛନ୍ତି । ତାଙ୍କୁ ଦଳ କେନ୍ଦ୍ରାପଡା ଲୋକସଭା ଆସନରେ ଅନୁଭବ ମହାନ୍ତିଙ୍କ ବଦଳରେ ପ୍ରାର୍ଥୀ କରିପାରେ ।

ସେହିପରି ଢେଙ୍କାନାଳର ଅବିନାଶ ସାମଲ ଓ ଅନୁଗୁଳ କଂଗ୍ରେସ ନେତା ବିପ୍ଳବ ଜେନା ମଧ୍ୟ ଶଙ୍ଖ ଫୁଙ୍କିଛନ୍ତି । ଅବିନାଶ ଓ ବିପ୍ଳବଙ୍କୁ ବିଜୁ ଜନତା ଦଳ ନିଶ୍ଚୟ କିଛି ବଡ ପ୍ରତିଶୁତି ଦେଇଥିବ । ଅର୍ଥାତ ଏମିତି ହେଲେ କିଛି ଆଶାୟୀଙ୍କ ଟିକେଟ୍ କଟିପାରେ । ବିଜେଡିରେ ଆଗକୁ ଅନ୍ୟ ଦଳରୁ ନେତା ସାମିଲ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି କିଛି ସରକାରୀ ଚାକିରିଆ ମଧ୍ୟ ବିଜେଡି ଟିକେଟରେ ମଇଦାନକୁ ଓହ୍ଲାଇ ପାରନ୍ତି । ପୁଣି ମହିଳା ସଶକ୍ତିକରଣର ନାରା ଦେଉଥିବା ବିଜେଡି ଏଥର ଅଧିକ ମହିଳାଙ୍କୁ ଟିକେଟ୍ ଦେବାକୁ ଯୋଜନା କରୁଛି । ପୁଣି ବିଜେପି ଓ କଂଗ୍ରେସର ପୁରୁଖା ନେତାଙ୍କ ସହ ଦଳ ରୁଦ୍ଧ ଦ୍ୱାର ବୈଠକ ଚଳାଇଛି । ଏହା ଦଳର ବହୁ ବରିଷ୍ଠ ନେତାଙ୍କ ଧକ୍କା ଦେବା ପରି ଲାଗୁଛି । ଅନ୍ୟ କେଉଁ ଦଳରେ ଯୋଗ ଦେଇ ଭାଗ୍ୟ ପରୀକ୍ଷା କରିବେ ନା ଆନୁଗତ୍ୟର ପ୍ରମାଣ ଦେଇ ଦଳରେ ପଡି ରହିବେ ସେହି ଚିନ୍ତାରେ ପଡିଛନ୍ତି ପୁରୁଣା ନେତା ।

ତେବେ ଆମଦାନୀ ନେତା କେବେ ବି କାହାର ହୋଇ ନ ଥାନ୍ତି । ଏହି କଥା କହିବାକୁ ପୁରୁଖା ନେତା ସାହାସ ଜୁଟାଇ ପାରୁ ନାହାନ୍ତି । ଏଥର ନିର୍ବାଚନରେ ଅନେକ ହେଭିୱେଟ୍ ନେତାଙ୍କ ଟିକଟ୍ କଟିବାର ସମ୍ଭାବନା ରହିଛି । ରାଜ୍ୟସଭା ପରି ବିଧାନସଭା ଓ ଲୋକସଭା ନିର୍ବାଚନରେ ନବୀନ ପଟ୍ଟନାୟକ ପ୍ରାର୍ଥୀ ଚୟନରେ ବଡ ଝଟକା ମଧ୍ୟ ଦେଇ ପାରନ୍ତି । ଅଧିକାଂଶ ନୂଆ ଚେହେରାଙ୍କୁ ଧରି ପୁଣି ଥରେ ନିର୍ବାଚନ ବୈତରଣୀ ପାରି ହେବାକୁ ବିଜେଡି କରିଥିବା ରଣନୀତି ଦେଖି ପୁୁରୁଖା ନେତାଙ୍କ ନିଦ ହଜି ଯାଇଛି ।