ବ୍ରହ୍ମପୁର: ଆସନ୍ତା ୨୨ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ସମୟରେ ସେ ବ୍ରହ୍ମପୁର ଯିବେ । ସେଠାରେ ଆମ୍ବପୁଆଠାରେ ବିଜେପି କର୍ମୀ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । କେମିତି ଅଧିକରୁ ଅଧିକ ସମର୍ଥକ ଓ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେବେ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି ।
ପ୍ରଦୀପଙ୍କ ଯୋଗଦାନରେ ଓଡିଶାର ସବୁଠୁ ବଡ ଜିଲ୍ଲା ଗଞ୍ଜାମରେ ଭାରତୀୟ ଜନତା ପାର୍ଟି ମଜବୁତ ହେବ ବୋଲି ଆଶା କରାଯାଉଛି । କାରଣ କେବଳ ଗୋପାଳପୁର ନୁହେଁ ଜିଲ୍ଲାରେ ପ୍ରଦୀପଙ୍କ ବେଶ ପତିଆରା ଓ ଲୋକ ସଂପର୍କ ରହିଛି । ଶ୍ରୀ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ନେଇ ଢେର ସମୟରୁ ଚର୍ଚ୍ଚା ହୋଇ ଆସିଛି । ତେବେ କେବେ ଆନୁଷ୍ଠାନିକ ଭାବେ ମିଶିବେ ସେ ନେଇ କୌଣସି ତାରିଖ ସାମ୍ନାକୁ ଆସି ନ ଥିଲା । ତେବେ ରାଜନାଥ ସିଂଙ୍କ ଗସ୍ତରେ ସେ ପଦ୍ମ ଧରି ପାରନ୍ତି ବୋଲି ରାଜ୍ୟ ବିଜେପି ସୂତ୍ରରୁ ପ୍ରକାଶ ।
ସୂଚନାଯୋଗ୍ୟ, ଗତ ଅନେକ ମାସ ହେବ ପ୍ରଦୀପ ପାଣିଗ୍ରାହୀ ବିଜେଡିକୁ ସମାଲୋଚନା କରି କାଠଗଡାରେ ଛିଡା କରାଇବାକୁ ଚେଷ୍ଟା କରିଛନ୍ତି । ସେ ସିଧାସଳଖ ନବୀନ ଓଡିଶା ଓ ଫାଇଭ ଟିର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଶାଣିତ ସ୍ୱରରେ ହମଲା କରି ଆସିଛନ୍ତି । ସେ ପୂର୍ବରୁ ବିଜେଡିର ଜଣେ ଟାଣୁଆ ଓ ଆଗ ଧାଡିର ନେତା ଥିଲେ । ସେ ବିଜେଡିର ଭିତିରି କଥା ମଧ୍ୟ ଜାଣିଛନ୍ତି । ପ୍ରଦୀପଙ୍କୁ ସାଥିରେ ନେଇ ବିଜେପି ଗଞ୍ଜାମରେ ନିଜର ଉପସ୍ଥିତି ଜାହିର କରିବାକୁ ଲକ୍ଷ୍ୟ ରଖିଥିବା ରାଜନୈତିକ ସମୀକ୍ଷକ କୁହନ୍ତି ।