ପଦ୍ମ ଧରିଲେ ପ୍ରଦୀପ, କହିଲେ- ନବୀନ ପଟ୍ଟନାୟକଙ୍କୁ ହଟାଇବାର ସମୟ ଆସି ଯାଇଛି


ଭୁବନେଶ୍ୱର: ପ୍ରଥମେ ଖବର ଆସିଲା ଯେ, ଫେବୃଆରୀ ୨୨ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବ୍ରହ୍ମପୁର ଗସ୍ତରେ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବେ । ତେବେ ଏହାର ଦିନକ ପୂର୍ବରୁ ନିଜର ସମର୍ଥକଙ୍କ ସହ ବିଜେପିରେ ବିଦ୍ଧିବଧ ଭାବେ ସାମିଲ୍ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ସମୟରେ ଅନେକ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ । ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି । ମୋଦୀ ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି ।

ବିଜେପିରେ ଯୋଗ ଦେବା ପରେ ବିଜେଡି ବର୍ଷିଛନ୍ତି ପ୍ରଦୀପ । ସେ କହିଛନ୍ତି, ବର୍ତମାନର ସମୟ ପରିବର୍ତନର ସମୟ, ସଜାଗର ସମୟ । ସୁଦୃଢ ଓଡିଶା, ସୁଦୃଢ ଭାରତ ଗଠନ କରିବାର ସମୟ । ଓଡିଶାରେ ପରିବର୍ତନର ସମୟ ଆସିଛି । ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବାକୁ ପଡିବ । ଏକଛତ୍ରବାଦୀ ସରକାର ହଟାଇ ଲୋକତନ୍ତ୍ର ସରକାର ଆଣିବାକୁ ପଡିବ । ଦୀର୍ଘ ୨୫ ବର୍ଷ ଧରି କ୍ଷମତାସୀନ ନବୀନଙ୍କୁ ହଟାଇ ଓଡିଆଙ୍କୁ ଗୁରୁତ୍ୱ ଦେବାର ସମୟ ଆସି ଯାଇଛି । ବିଜେପିକୁ ଥରୁଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ । ଆଜିର କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସମୀର ମହାନ୍ତି, ଦିଲୀପ ମଲ୍ଲିକ ଓ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ପ୍ରଦୀପଙ୍କୁ ବିଜେଡି ଦଳରୁ ବହିଷ୍କାର କରିଥିଲା । ଦଳରୁ ବହିଷ୍କାର ହେବା ପରେ ପ୍ରଦୀପଙ୍କୁ ପ୍ରଶାସନିକ କାର୍ଯ୍ୟରେ ଅଣଦେଖା କରାଯାଉଥିଲା । ଏଥିପାଇଁ ପ୍ରଦୀପ ବିଜେଡି ସରକାରଙ୍କୁ ସମାଲୋଚନା କରିବାକୁ କୌଣସି ସୁଯୋଗ ହାତଛଡା କରି ନ ଥାନ୍ତି ।

ପ୍ରଦୀପଙ୍କ ଯୋଗଦାନରେ ଓଡିଶାର ସବୁଠୁ ବଡ ଜିଲ୍ଲା ଗଞ୍ଜାମରେ ଭାରତୀୟ ଜନତା ପାର୍ଟି ମଜବୁତ ହେବ ବୋଲି ଆଶା କରାଯାଉଛି । କାରଣ କେବଳ ଗୋପାଳପୁର ନୁହେଁ ଜିଲ୍ଲାରେ ପ୍ରଦୀପଙ୍କ ବେଶ ପତିଆରା ଓ ଲୋକ ସଂପର୍କ ରହିଛି । ଶ୍ରୀ ପାଣିଗ୍ରାହୀଙ୍କ ବିଜେପିରେ ମିଶିବା ନେଇ ଢେର ସମୟରୁ ଚର୍ଚ୍ଚା ହୋଇ ଆସିଛି । ତେବେ କେବେ ଆନୁଷ୍ଠାନିକ ଭାବେ ମିଶିବେ ସେ ନେଇ କୌଣସି ତାରିଖ ସାମ୍ନାକୁ ଆସି ନ ଥିଲା ।

ସୂଚନାଯୋଗ୍ୟ, ଗତ ଅନେକ ମାସ ହେବ ପ୍ରଦୀପ ପାଣିଗ୍ରାହୀ ବିଜେଡିକୁ ସମାଲୋଚନା କରି କାଠଗଡାରେ ଛିଡା କରାଇବାକୁ ଚେଷ୍ଟା କରିଛନ୍ତି । ସେ ସିଧାସଳଖ ନବୀନ ଓଡିଶା ଓ ଫାଇଭ ଟିର ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଶାଣିତ ସ୍ୱରରେ ହମଲା କରି ଆସିଛନ୍ତି । ସେ ପୂର୍ବରୁ ବିଜେଡିର ଜଣେ ଟାଣୁଆ ଓ ଆଗ ଧାଡିର ନେତା ଥିଲେ । ସେ ବିଜେଡିର ଭିତିରି କଥା ମଧ୍ୟ ଜାଣିଛନ୍ତି । ପ୍ରଦୀପଙ୍କୁ ସାଥିରେ ନେଇ ବିଜେପି ଗଞ୍ଜାମରେ ନିଜର ଉପସ୍ଥିତି ଜାହିର କରିବାକୁ ଲକ୍ଷ୍ୟ ରଖିଥିବା ରାଜନୈତିକ ସମୀକ୍ଷକ କୁହନ୍ତି ।