ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ଏଥର ବିଜେଡିକୁ ଟାର୍ଗେଟ୍ କରିବେ ନା ନିଜର ଗୁଣଗାନ କରି ଚାଲିଯିବେ ?


ଭୁବନେଶ୍ୱର: ଫେବୃଆରୀ ଶେଷ ଆଡକୁ ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଚୂଡାନ୍ତ ତାରିଖ ନିର୍ଦ୍ଧାରଣ ହେବ । ତେବେ ପ୍ରଧାନମନ୍ତ୍ରୀ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ଏହା ପରେ ଚଣ୍ଡିଖୋଲରେ ସାଧାରଣ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏଥର ବିଜେଡିକୁ ଟାର୍ଗେଟ୍ କରିବେ ନା ନିଜର ଗୁଣଗାନ କରି ଚାଲିଯିବେ ? ଏହା ସବୁଠୁ ବଡ ପ୍ରଶ୍ନ ରହିଛି ।

ଫେବୃଆରୀ ୨୮ରେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ପାରନ୍ତି ବୋଲି କୁହାଯାଉଛି । ମନମୋହନ କହିଛନ୍ତି, ଘରେ ଘରେ ମୋଦୀଙ୍କ ଗ୍ୟାରେଂଟି ପହଂଚାଯିବା ସହ କେନ୍ଦ୍ରୀୟ ଯୋଜନା ସଂପର୍କରେ ଦଳୀୟ କର୍ମୀଙ୍କୁ ଅବଗତ କରାଯିବ । ଏହି କ୍ରମରେ ଫେବୃଆରୀ ୨୨ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଦିନ ନବରଙ୍ଗପୁର, ଗଞ୍ଜାମ ଓ ବାରିପଦାରେ ଦଳୀୟ କାର୍ଯ୍ୟକ୍ରମରେ ରାଜନାଥ ଯୋଗ ଦେବେ । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁଣି ଓଡିଶା ଗସ୍ତକୁ ନେଇ ଉତ୍ସାହିତ ବିଜେପି ଶିବିର । ତେବେ ଏଥର ଗସ୍ତରେ ମୋଦୀ ବିଜେଡି ସରକାରଙ୍କୁ ସମାଲୋଚନା କରିବେ ନା କେବଳ ନିଜ ସରକାରଙ୍କ ଲୋକାଭିମୁଖୀ ଯୋଜନା ବଖାଣି ଚାଲିଯିବେ ।

କାରଣ ଫେବୃଆରୀ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ନବ ନିର୍ମିତ ଆଇଆଇଏମର ନୂତନ କ୍ୟାମ୍ପସର ଲୋକାର୍ପଣ କରିଥିଲେ । ଏହା ପରେ ରେମେଡ ପଡିଆରେ ଆୟୋଜିତ ଜନସଭାରେ ଯୋଗ ଦେଇଥିଲେ । ହେଲେ ସଭାରେ ସେ ବିଜେଡି ସରକାର ବିରୋଧରେ ପଦୁଟିଏ ବି କହି ନ ଥିଲେ । କେବଳ ନିଜ ସରକାରଙ୍କ ଜୟଗାନ କରି ଚାଲି ଯାଇଥିଲେ । ବିଜେପି ନେତା ଓ କର୍ମୀ ଆଶା କରିଥିଲେ ପ୍ରଧାନମନ୍ତ୍ରୀ ବିଜେଡି ସରକାରଙ୍କୁ ଘେରିବେ, ଯଦ୍ୱାରା କର୍ମୀମାନେ ଉତ୍ସାହିତ ହେବେ ଏବଂ ଏହାର ପ୍ରଭାବ ନିର୍ବାଚନ ଉପରେ ପଡିବ ।

ଯଦି ଏଥର ଗସ୍ତରେ ସେ ବିଜେଡି ସରକାରଙ୍କ ସମାଲୋଚନା ନ କରନ୍ତି ତେବେ ବୁଝି ଯିବାକୁ ହେବ ଯେ, ବିଜେପି ଓ ବିଜେଡି ଭିତିରିଆ ସଂପର୍କ ରଖି ନାମକୁ ମାତ୍ର ପରସ୍ପର ବିରୋଧରେ ନିର୍ବାଚନ ଲଢିବେ । ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ଫଳରେ କର୍ମୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି ଯେ, ତାଙ୍କ ନେତାଙ୍କୁ କେଉଁ ଆସନରୁ ଟିକେଟ୍ ମିଳିବ ।