ବଲାଙ୍ଗିର: ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସରୁ କିଛିଟା ଅଧିକ ସମୟ ବାକି ରହିଛି । ଓଡିଶାରେ ଏକ ସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ବିଧାନସଭା ତୁଳନାରେ ଲୋକସଭା ନିର୍ବାଚନକୁ ନେଇ ରାଜ୍ୟରେ ଅଧିକ ଚର୍ଚ୍ଚା । କାରଣ ଲୋକସଭାକୁ ନେଇ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଅନେକ ପ୍ରିପୋଲ୍ ସର୍ଭେ ସାମ୍ନାକୁ ଆସି ସାରିଛି । ଏସବୁ ଭିତରେ ଦଳଗୁଡିକ କେଉଁ ସଂସଦୀୟ କ୍ଷେତ୍ରରେ କାହାକୁ ପ୍ରାର୍ଥୀ କଲେ ଦଳ ଜିତି ପାରିବ, ସେ ନେଇ ଅଙ୍କକଷା ଚାଲିଛି । ଏହିକ୍ରମରେ ବଲାଙ୍ଗିରକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ରଣନୀତି ଚାଲିଛି । ହେଲେ ପ୍ରାର୍ଥୀତ୍ୱକୁ ନେଇ ସବୁ ଦଳରେ ଦ୍ୱନ୍ଦ୍ୱ ଲାଗି ରହିଛି । ବିଜେଡିରୁ କଳିକେଶ ନାରାୟଣ ସିଂହ ଦେଓ ଦାବିଦାର ଥିବା ବେଳେ ବିଜେପିରୁ ଅଛନ୍ତି ବର୍ତମାନ ସାଂସଦ ସଙ୍ଗୀତା ସିଂହ ଦେଓ । ଅନ୍ୟପଟେ କଂଗ୍ରେସରେ ମିଶିଥିବା ଅଭିନେତା ମିନୋଜ ମିଶ୍ରଙ୍କୁ ବଲାଙ୍ଗିରରୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି ।
୨୦୧୯ ନିର୍ବାଚନରେ ସଙ୍ଗୀତାଙ୍କଠୁ ପରାଜିତ ହୋଇଥିବା କଳିକେଶ ଏଥର ମଧ୍ୟ ଟିକେଟ୍ ପାଇଁ ଆଶାବାଦୀ । ତେଣୁ ତାଙ୍କୁ ନିଜ ଅଂଚଳରେ ଏବଂ ଦଳରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି । ଯଦି ଦଳ କୌଣସି ବଡ ନିଷ୍ପତି ନ ନିଏ ତେବେ ବଲାଙ୍ଗିର ଲୋକସଭା ସିଟରୁ କଳିକେଶ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି । ସେପଟେ ବିଜେପି ପାଇଁ ସଙ୍ଗୀତା ସିଂହ ଦେଓ ଏକମାତ୍ର ଚେହେରା ଓ ବିକଳ୍ପ ବୋଲି କୁହାଯାଉଛି । ହେଲେ କେନ୍ଦ୍ରୀୟ ବିଜେପି ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନରେ ସାଂସଦମାନଙ୍କୁ ଓହ୍ଲାଇ ସଫଳତା ହାସଲ କରିଥିଲା । ଯଦି ଦଳ ସେହିଭଳି କିଛି ନିଷ୍ପତି ନିଏ ଓ ଓଡିଶାରେ ସେହି ରଣନୀତି ପ୍ରୟୋଗ କରେ ତେବେ ସଙ୍ଗୀତାଙ୍କୁ ବିଧାନସଭା ନିର୍ବାଚନ ଲଢିବାକୁ ପଡିପାରେ । ତେବେ ବଲାଙ୍ଗିର ରାଜନୀତିରେ ବିଜେପି ପାଖରେ ସଙ୍ଗୀତାଙ୍କ ପରି ବିକଳ୍ପ ସାଂସଦ ପ୍ରାର୍ଥୀ ଥିବା ଭଳି ମନେ ହେଉନି ।
ସେପଟେ କଂଗ୍ରେସ ଶିବିର ମଧ୍ୟ ଦ୍ୱନ୍ଦ୍ୱରେ ରହିଛି । ପଶ୍ଚିମ ଓଡିଶାର ଏହି ସଂସଦୀୟ ଆସନରୁ କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଦଳ ନିଷ୍ପତି ନେଇ ପାରୁ ନାହିଁ । ମନୋଜ ମିଶ୍ରଙ୍କୁ ଦଳ ବଲାଙ୍ଗିର ଲୋକସଭାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ତରବରିଆ ଭାବେ ଏଭଳି ନିଷ୍ପତି ନେବାକୁ ଚାହୁଁନି । କାରଣ ଦଳରେ ଅନେକ ପୁରୁଖା ନେତା ଅଛନ୍ତି ଯେଉଁମାନେ ଟିକେଟ୍ ଆଶାୟୀ । ମନୋଜଙ୍କୁ ଟିକେଟ୍ ଦେଲେ ଦଳ ଭିତରେ ଫାଟ ହେବାର ଆଶଙ୍କା ରହିଛି । ମୋଟାମୋଟି ଭାବେ ବିଜେପି, ବିଜେଡି ଓ କଂଗ୍ରେସ ଏ ପର୍ଯ୍ୟନ୍ତ ସ୍ଥିର କରି ପାରି ନାହାନ୍ତି ଯେ, ବଲାଙ୍ଗିରରୁ କାହାକୁ ପ୍ରାର୍ଥୀ କରାଯିବ । ଆଉ କିଛି ଦିନ ପରେ ସମ୍ଭବତଃ ଚିତ୍ର ସ୍ପଷ୍ଟ ହୋଇପାରେ । ଏସବୁ ଭିତରେ ବିଜେପି ପୁଣି ଥରେ ଏହି ଲୋକସଭା ଆସନକୁ ନିଜ କବଜାରେ ରଖିବାକୁ ଚେଷ୍ଟା କରିବ । ଏହି ଆସନରୁ ବିଜେପି ଓ ବିଜେଡି ମଧ୍ୟରେ ସିଧାସଳଖ ଫାଇଟ୍ ହୋଇପାରେ ।