ବିଜେଡି ପାଇଁ କାମ କରୁଥିବା ଅଫିସରଙ୍କ ତାଲିକା ଜାରି କରିବ କଂଗ୍ରେସ- ବିଜୟ ପଟ୍ଟନାୟକ


ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ନେଇ କଂଗ୍ରେସ ନିଜର ପ୍ରସ୍ତୁତି ଜୋରଦାର କରିଛି । ଏହା ସହିତ ଦଳ ଶାସକ ବିଜୁ ଜନତା ଦଳ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛି । ଦଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିବାରେ ହେଳା କରୁନି । ଏବେ କଂଗ୍ରେସ ବିଜେଡି ପ୍ରତି ଅହେତୁକ ଅନୁକମ୍ପା ରଖୁଥିବା ପ୍ରଶାସନିକ ଅଧିକାରୀଙ୍କୁ ପରୋକ୍ଷରେ ଚେତାବନୀ ଦେଇଛି । କଂଗ୍ରେସ କହିଛି ରାଜ୍ୟର ଶାସନ ବ୍ୟବସ୍ଥା ମୁଷ୍ଟିମେୟ ସରକାରୀ ଅଫିସରଙ୍କ ହାତରେ ରହିଛି । ନବୀନ ପଟ୍ଟନାୟକଙ୍କ ପୃଷ୍ଟପୋଷକରେ ଏହି ଅଫିସରମାନେ ବିଜେଡି ପାଇଁ କାମ କରୁଛନ୍ତି । କଂଗ୍ରେସ ଏହି ଅଫିସରମାନଙ୍କୁ ଚିହ୍ନଟ କରିଛି ଏବଂ ଶୀଘ୍ର ସେମାନଙ୍କର ତାଲିକା ଜାରି କରାଯିବ ବୋଲି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ ଭବନରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ ଖୋଲାଖୋଲି ପରୋକ୍ଷ ଭାବେ ଉକ୍ତ ଅଫିସରମାନଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ନବୀନ ପଟ୍ଟନାୟକ କିଛି ଅଧିକାରୀଙ୍କ ହାତରେ ରାଜ୍ୟର ଶାସନଭାର ଟେକି ଦେଇଛନ୍ତି । ଏହି ମୁଷ୍ଟିମେୟ ଅଫିସରଙ୍କ ଉପରେ କଂଗ୍ରେସର ନଜର ରହିଛି । ଏହି ଆଇଏଏସ, ଓଏସ ଅଫିସରମାନେ ସରକାରୀ ଦଳ ପାଇଁ ଚାନ୍ଦା ସଂଗ୍ରହ କରୁଛନ୍ତି । ଦଳୀୟ କର୍ମୀ ଭାବେ କାମ କରୁଛନ୍ତି । ଏହା ଆମ ରାଜ୍ୟ ପାଇଁ କଦାପି ଗ୍ରହଣନୀୟ ନୁହେଁ । ଯଦି ସେମାନେ ନିଜର କାର୍ଯ୍ୟ ନିରପେକ୍ଷ ଭାବେ କରିବେ ନାହିଁ ତେବେ କଂଗ୍ରେସ ଖୁବ୍ ଶୀଘ୍ର ସେହି ଅଫିସରମାନଙ୍କ ତାଲିକା ଜାରି କରିବ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।

ବିଜୟ ଚଣ୍ଡିଗଡ ମେୟର ନିର୍ବାଚନରେ ସୁପ୍ରିମକୋର୍ଟଙ୍କ ଛାଟ ପଡିବା ଖବରକୁ ମନେ ପକାଇଛନ୍ତି । ସେଠାରେ ଗଣତନ୍ତ୍ରକୁ ଯେମିତି ଦଳମକଚିବାକୁ ଚେଷ୍ଟା କରାଯାଉଥିଲା ଠିକ୍ ସେହିପରି ରାଜ୍ୟରେ ସରକାରୀ ଅଧିକାରୀ ବିଜେପି ପାଇଁ କାମ କରି ଗଣତନ୍ତ୍ରକୁ ଦଳିମକଚି ଦେଉଛନ୍ତି । ଏହି ସବୁ ପ୍ରଶାସନିକ ଅଧିକାରୀମାନେ ନିୟମାବଳୀ ପଢନ୍ତୁ ଓ ନିରପେକ୍ଷ ଭାବେ କାମ କରିବା ଉପରେ ଯତ୍ନବାନ ହୁଅନ୍ତୁ । ଯଦି ଏମାନେ ବିଜେଡି ପ୍ରତି କାମ କରିବା ଜାରି ରଖିବେ ତେବେ କଂଗ୍ରେସ ସେମାନଙ୍କର ମୁଖା ଖୋଲିବ ବୋଲି ବିଜୟ କହିଛନ୍ତି ।