ରାଜ୍ୟରେ ବିଜେପି-ବିଜେଡି ମେଂଟ ନେଇ କେନ୍ଦ୍ର ନିଷ୍ପତି ନେବ: ବିଜୟପାଲ ସିଂ ତୋମାର


ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ରାଜନୀତି ତାତି ରାଜ୍ୟରେ ଜୋର ଧରିଛି । ସିଟ୍ ନେଇ ସବୁ ଦଳରେ ଚାଲିଛି ଅଙ୍କକଷା । ବେଳେ ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ମଧ୍ୟ ଚର୍ଚ୍ଚା ଉଠେ । ଯଦି ଏଥର ନିର୍ବାଚନରେ କାହାକୁ ସଂଖ୍ୟା ଗରିଷ୍ଠତା ନ ମିଳେ ତେବେ ସେମିତି ସ୍ଥିତିରେ ବିଜେପି ଓ ବିଜେଡି ମେଂଟ ହେବାର ସମ୍ଭାବନା ରହିଛି । ରାଜ୍ୟରେ ବିଜେପି-ବିଜେଡି ମେଂଟ ନେଇ ଚର୍ଚ୍ଚା ଚାଲିଥିବାବ ବେଳେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ କହିଛନ୍ତି ମେଂଟ ହେବକି ନାହିଁ ସେ ନିଷ୍ପତି କେନ୍ଦ୍ର ନେବ ।

ରାଜ୍ୟରେ ଦଳର ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା ପାଇଁ ଭୁବନେଶ୍ୱର ପହଂଚିଛନ୍ତି ଓଡିଶା ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ଖୁବ୍ ଶୀଘ୍ର ବିଜେପି ଦେଶରେ ୧୦୦ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷନା କରାଯିବ । ସେଥିରେ ଓଡିଶାର ୨ରୁ ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇପାରେ ବୋଲି ଭୁବନେଶ୍ୱର ବିମାନ ବନ୍ଦରେ ପହିଂବା ପରେ ବିଜୟପାଲ ସିଂ ତୋମାର କହିଛନ୍ତି । ଆଜି ଓ ବୁଧବାର କ୍ଲଷ୍ଟର ଦାୟିତ୍ୱରେ ଥିବା ନେତାଙ୍କ ସହ ବୈଠକ ହେବ । ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା କରାଯିବ । କେନ୍ଦ୍ର ସରକାରଙ୍କ ଯୋଜନା ଓଡିଶାରେ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ଆଲୋଚନା ହେବ ।

ସେ କହିଛନ୍ତି ଆଗାମୀ ନିର୍ବାଚନରେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେବ । ରାଜ୍ୟରେ ବିଜେପି ବିଧାନସଭା ଓ ଲୋକସଭାରେ ବହୁମତ ପାଇବ । ଆମେ ଲଢେଇ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ବିଜୟପାଲ ସିଂ ତୋମାର କହିଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ ପାଖେଇଥିଲେ ସୁଦ୍ଧା କେନ୍ଦ୍ରୀୟ ନେତୃତ୍ୱ ଏ ପର୍ଯ୍ୟନ୍ତ ବିଜେଡି ସରକାରଙ୍କୁ କି ନବୀନ ପଟ୍ଟନାୟକ ଟାର୍ଗେଟ୍ କରି ନାହାନ୍ତି । ବରଂ ନବୀନଙ୍କ କେନ୍ଦ୍ର ବିଜେପି ସହ ଭଲ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି । ଏହାର ଝଲକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫେବୃଆରୀ ଆରମ୍ଭରେ ସମ୍ବଲପୁର ଗସ୍ତରେ ଦେଖିବାକୁ ମିଳିଥିଲା । ସେହି ସମୟରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ପିଏମ ମୋଦୀଙ୍କ ମୁହଁରୁ ବିଜେଡି ପ୍ରତି ଗୋଟିଏ ଶବ୍ଦ ମଧ୍ୟ ଶୁଣିବାକୁ ମିଳି ନ ଥିଲା । ତେଣୁ ଆଗାମୀ ସମୟରେ ବିଜେପି ଓ ବିଜେଡି ମେଂଟକୁ ଅସ୍ୱୀକାର କରାଯାଇ ନ ପାରେ ।