ନିର୍ବାଚନ ପୂର୍ବରୁ ସତ୍ୟବାଦୀକୁ ନେଇ ତେଜିଲା ବିଜେଡି କଳି, ଫାଇଦା ଉଠାଇବ ବିଜେପି !


ଭୁୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ବିଜେଡିର ଆଶାୟୀ ସଂଖ୍ୟା ବଢିବା ସହ ଦଳୀୟ କନ୍ଦଳ ମଧ୍ୟ ବଢିବାରେ ଲାଗିଛି । ପ୍ରାୟ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ବିଜେଡି କଳି ସାମ୍ନାକୁ ଆସିବାରେ ଲାଗିଛି । ଏହିକ୍ରମରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀକୁ ନେଇ ତେଜିଛି ବିଜୁ ଜନତା ଦଳର କଳି । ସଞ୍ଜୟ ଦାସ ବର୍ମାଙ୍କ ଭିଡିଓ ଭାଇରାଲ୍ ପରେ ଉମା ସାମନ୍ତରାୟ କଡା ଟିପ୍ପଣୀ କରିଛନ୍ତି । ଦୁଇ ନେତାଙ୍କ କଳି ଯାଇ ରାଜଧାନୀ ବିଜେଡି ମୁଖ୍ୟାଳୟରେ ପହଂଚିଛି । ସଂଗଠନ ସଂପାଦକ ଦୁଇ ନେତାଙ୍କୁ ଶଙ୍ଖ ଭବନ ଡକାଇ ଆଲୋଚନା କରୁଛନ୍ତି । ଦୁଇ ନେତାଙ୍କ କଳିରୁ ବିଜେପି ସତ୍ୟବାଦୀ ଆସନରେ ଫାଇଦା ନେବାକୁ ଚେଷ୍ଟା ଚଳାଇଛି ।

ସଞ୍ଜୟ ଦାସ ବର୍ମାଙ୍କ ଭିଡିଓ ଭାଇରାଲ୍ ହେବା ପରେ ସତ୍ୟବାଦୀର ବିଧାୟକ ଉମା ସାମନ୍ତରାୟ କହିଛନ୍ତି କିଏ କଣ କହିଲା ସେଥିରେ ଯାଏ ଆସେ ନାହିଁ । ଦଳର ସୁପ୍ରିମୋ କିଛି ଟିକେଟ୍ ଘୋଷଣା କଲେଣି କି ବୋଲି ଉମା ପ୍ରଶ୍ନ କରିଛନ୍ତି । ସତ୍ୟବାଦୀରେ ବିଜେଡି ଖାତା ମୁଁ ଖୋଲିଥିଲି । ସତ୍ୟବାଦୀ କହିଲେ ଉମା ସାମନ୍ତରାୟକୁ ବୁଝାଏ ବୋଲି ସମ୍ଭୋକ୍ତି ପ୍ରକାଶ କରିଛନ୍ତି । ସତ୍ୟବାଦୀରୁ ପ୍ରାର୍ଥୀ ହେଉଥିବା ନେଇ ସଞ୍ଜୟ ଦାସ ବର୍ମାଙ୍କ ଭିିଡିଓ ଭାଇରାଲ୍ ହୋଇଥିଲା । ସତ୍ୟବାଦୀରୁ ସେ ବିଜେଡି ପ୍ରାର୍ଥୀ ହେଉଥିବା ସଞ୍ଜୟ କହୁଥିବା ଦେଖା ଯାଇଥିଲା । ଉମାଙ୍କୁ ବ୍ରହ୍ମଗିରି ପଠାଯିବ ଓ ସେ ସତ୍ୟବାଦୀରୁ ପ୍ରାର୍ଥୀ ହେଉଥବା ବୋଲି ଉକ୍ତ ଭିଡିଓରେ ସଞ୍ଜୟ ଦାସବର୍ମା କହୁଥିବା ଦେଖିବାକୁ ମିଳିଛି ।

ଦୁଇ ନେତାଙ୍କ ମଧ୍ୟରେ କଳି ତେଜିବା ପରେ ଦୁଇ ବରିଷ୍ଠ ନେତାଙ୍କୁ ଶଙ୍ଖ ଭବନ ପକ୍ଷରୁ ଡକରା ଦିଆଯାଇଛି । ଶଙ୍ଖ ଭବନରେ ବର୍ତମାନ ସଞ୍ଜୟ ଦାସବର୍ମା ଏବଂ ଉମା ସାମନ୍ତରାୟଙ୍କ ସହ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଲୋଚନା କରୁଛନ୍ତି । ବିଜେଡି କଳିକୁ ନେଇ ବିଜେପି ନେତା ରମା ବଳିୟାର ସିଂ କହିଛନ୍ତି, ୨ ନେତାଙ୍କ କଳିରୁ ବ୍ରହ୍ମଗିରି ଓ ସତ୍ୟବାଦୀ ବିଜେଡି ହାତରୁ ଖସିବ । ସତ୍ୟବାଦୀ ତ୍ୟାଗର ମାଟି, ଭୋଗର ମାଟି ନୁହେଁ । କ୍ଷମତା ଅକ୍ତିକାର ପାଇଁ ଲଢିଲେ ଲୋକଙ୍କ ବିଶ୍ୱାସଭାଜନ ହେବେନି । କାହାକୁ ଟିକେଟ୍ ମିଳିବ ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ୨ ଜଣଙ୍କ ପାଇଁ ସତ୍ୟବାଦୀ ଜମା ନିରାପଦ ନୁହେଁ କହିଲେ ରମା । ସତ୍ୟବାଦୀ କାହାର ଖେଳ ପଡିଆ ନୁହେଁ କହିଲେ । ଆପଣ ଲଢିବେ କି ପ୍ରଶ୍ନରେ ଲୋକ ଚାହୁଁଛନ୍ତି, ଦଳ ନିଷ୍ପତି ନେବ ବୋଲି ବିଜେପି ନେତା ରମା ବଳିୟାର ସିଂ କହିଛନ୍ତି ।

ସୂଚନାଯୋଗ୍ୟ, କ୍ରମାଗତ ବ୍ରହ୍ମଗିରି ଆସନରୁ ନିର୍ବାଚନ ଜିତିବା ପରେ ସଞ୍ଜୟ ଦାସ ବର୍ମା ୨୦୧୯ରେ ବିଜେପି ନେତା ଲଳିତେନ୍ଦୁଙ୍କଠୁ ପରାଜିତ ହୋଇଥିଲେ । ଏହା ପରଠୁ ସଞ୍ଜୟ ଦାସ ବର୍ମାଙ୍କୁ ସକ୍ରିୟ ରାଜନୀତିରେ ସେତେ ଦେଖିବାକୁ ମିଳି ନଥିଲା । ଏପରିକି ସଞ୍ଜୟ ଦାସ ବର୍ମା ବିଜେଡି ଛାଡି ବିଜେପିରେ ମିଶିବେ ବୋଲି ମଧ୍ୟ ଚର୍ଚ୍ଚା ଲାଗି ରହିଥିଲା । ତେବେ ବର୍ତମାନ ତାଙ୍କର ସତ୍ୟବାଦୀ ବିଧାୟକଙ୍କ ସହ କଳି ତେଜିବା ବିଜେଡିର ଚିନ୍ତାକୁ ବଢାଇ ଦେଇଛି ।