ବିଜେପି-ବିଜେଡି ମଧ୍ୟରେ ହେବ ମେଂଟ ! ୧୪-୭ ନା ୧୫-୬ ଚାଲିଛି ଅଙ୍କକଷା


ଭୁୁବନେଶ୍ୱର: ନିର୍ବାଚନ ପାଖେଇବା ସହ ରାଜ୍ୟରେ ନିର୍ବାଚନୀ ତାତି ବଢିବାକୁ ଯାଉଛି । ଆଗାମୀ ଦିନରେ ଓଡିଶା ରାଜନୀତିରେ ଦେଖିବାକୁ ମିଳିପାରେ ବଡ ସମୀକରଣ । ପାଖାପାଖି ୧୫ ବର୍ଷ ପରେ ପୁଣି ଥରେ ଏକାଠି ହୋଇ ପାରନ୍ତି ବିଜେପି ଓ ବିଜେଡି । ଦୁଇ ଦଳ ମିଶି ଏଥର ନିର୍ବାଚନ ଲଢିବା ନେଇ ଉଭୟ ବିଜେପି ଓ ବିଜେଡିର ଦଳୀୟ ସୂତ୍ରରୁ ପ୍ରକାଶ । ଦୁଇ ଦଳ ମଧ୍ୟରେ ମେଂଟ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ସାମାଜିକ ଗଣମାଧ୍ୟମରେ ମେଂଟ ହେଉଥିବା ଏବଂ ଆସନ ବୁଝାମଣା ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ । ତେବେ ମାର୍ଚ୍ଚ ୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତରେ ମେଂଟକୁ ନେଇ ବଡ ଘୋଷଣା ହେବାର ସମ୍ଭାବନା ରହିଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଉପରେ ଏବେ ସଭିଙ୍କ ନଜର ।

ଯଦି ଦୁଇ ଦଳ ମଧ୍ୟରେ ମେଂଟ ହୁଏ ତେବେ ଲୋକସଭା ଓ ବିଧାନସଭାରେ କେତେ ସିଟରେ ଉଭୟ ଦଳ ନିର୍ବାଚନ ଲଢିବେ ସେ ନେଇ ଅଙ୍କକଷା ଚାଲିଛି । ସୂତ୍ର ଅନୁଯାୟୀ, ବିଜେପି ୧୪/୧୫ ଓ ବିଜେଡି ୭/୬ ଲୋକସଭା ଆସନରେ ନିର୍ବାଚନ ଲଢିପାରେ । ସେହିପରି ବିଧାନସଭାରେ ବିଜେଡି ୧୦୧ ଓ ବିଜେପି ୪୬ ଆସନରେ ନିର୍ବାଚନ ଲଢିବା ନେଇ ଅଙ୍କକଷା ଚାଲିଛି । ବୋଧହୁଏ ଆସନ ବୁଝାମଣା ଛିଣ୍ଡି ନ ଥିବାରୁ ମେଂଟ ଘୋଷଣାରେ ଏ ପର୍ଯ୍ୟନ୍ତ ବିଳମ୍ବ ଘଟିଥିବା ଚର୍ଚ୍ଚା ଚାଲିଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତରେ ଏ ନେଇ ବଡ ଘୋଷଣା ହୋଇପାରେ । ପୁଣି ଥରେ ବିଜେଡି ଏନଡିଏରେ ସାମିଲ ହୋଇପାରେ ଏବଂ ୨୦୦୮ ପରେ ଦୁଇ ଦଳ ମିଶି ରାଜ୍ୟରେ ନିର୍ବାଚନ ଲଢିବାର ସମ୍ଭାବନା ରହିଛି ।

ଉଲ୍ଲେଖନୀୟ ଏଥର ନିର୍ବାଚନରେ ବିଜେଡିକୁ ସରକାର ବିରୋଧୀ ଆହ୍ୱାର ସମ୍ମୁଖୀନ ହେବାକୁ ଯାଉଛି । ପ୍ରାୟ ଅଧିକାଂଶ ଆସନରେ ଦଳୀୟ କନ୍ଦଳ ବଢିବାରେ ଲାଗିଛି । ଏକାଧିକ ପ୍ରାର୍ଥୀ ଥିବା କାରଣରୁ ବିଜେଡିରେ ଅନ୍ତଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ବିଜେଡିର ଅନେକ ପୂର୍ବତନ ବିଧାୟକ ଏବଂ ଶହ ଶହ ସମର୍ଥକ ବିଜେପିରେ ମିଶିବାରେ ଲାଗିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ପରି ନେତା ବିଜେପିରେ ମିଶିବା ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ବିଶେଷ କରି ପ୍ରଦୀପଙ୍କ ବିଜେପିରେ ମିଶିବା ଗଞ୍ଜାମରେ ବିଜେଡିର ରଣନୀତିକୁ ବିଗାଡିବାର ସମ୍ଭାବନା ରହିଛି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ବିଜେପିରେ ସାମିଲ ହେବା ବିଜେଡିକୁ ଆହୁରି ଧକ୍କା ଦେଇଛି। ଏମିତି ଅନେକ ବିଜେଡିର ବରିଷ୍ଠ ନେତା ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି । ରାଜ୍ୟର ସାଂପ୍ରତିକ ରାଜନୀତି ବିଜେଡି ପ୍ରତି ଅନୁକୂଳ ନାହିଁ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଦିନ ରାଜ୍ୟ ସରକାର କିଛି ନା କିଛି ଘୋଷଣା କରି ଚାଲିଛନ୍ତି । ତଥାପି ଏହା ବିଜେଡି ପ୍ରତି ଅନୁକୂଳ ମାହୋଲ ସୃଷ୍ଟି କରି ପାରୁ ନ ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି ।

ସେମିତିରେ ବିଜେପି ଓ ବିଜେଡି ପରସ୍ପରକୁ ରାଜ୍ୟରେ ବିରୋଧୀ ଦର୍ଶାଇଲେ ମଧ୍ୟ ଉଭୟଙ୍କ ମଧ୍ୟରେ ମଧୁର ସଂପର୍କ ସଭିଙ୍କୁ ଜଣା । ସେମିତିରେ ବିଜେଡିର କମୁଥିବା ଜନାଧାରକୁ ଦୃଷ୍ଟିରେ ରଖି ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ଦଳ ଏବେ ବିଜେପି ସହ ମେଂଟ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ, ୧୯୯୯ରେ ବିଜେଡି ଗଠନ ହେବା ପରେ ଦଳ ବିଜେପି ସହ ମେଂଟ କରି ୨୦୦୮ ପର୍ଯ୍ୟନ୍ତ ରାଜ୍ୟରେ ସରକାରରେ ଥିଲେ । ତେବେ ୨୦୦୮ରେ କନ୍ଧମାଳରେ ସାଂପ୍ରଦାୟିକ ଦଙ୍ଗା କାରଣରୁ ବିଜେପି ଓ ବିଜେଡି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଏବଂ ବିଜେଡି ଏନଡିଏରୁ ଓହରି ଯାଇଥିଲା । ଏହା ପରେ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଦୁଇ ଦଳ ନିଜ ଦମରେ ନିର୍ବାଚନ ଲଢିଥିଲେ । ଆଉ ମେଂଟରୁ ଓହରିବା ପରେ ବିଜେଡି ଆଶାତୀତ ସଫଳତା ପାଇ ନିର୍ବାଚନୀ ବୈତରଣୀ ପାରି ହୋଇ ଚାଲିଥିଲା । ତେବେ ଏବେ ଜନତାଙ୍କ ମୋଡ ବଦଳିବାରେ ଲାଗିଛି । ଏଥର ବିଜେଡିକୁ ନିର୍ବାଚନ ଜିତିବା କାଠିକର ପାଠ ହୋଇପାରେ । ଅନ୍ୟପଟେ ବିଜେପି ଏକା ଲଢିଲେ ବି ମ୍ୟାକିକ ନମ୍ବର ପାଇବା ମୁସ୍କିଲ । ତେଣୁ ଏମିତି ସ୍ଥିତିରେ ଉଭୟ ଦଳ ମେଂଟ କରିବାକୁ ଯାଉଥିବା ରାଜନୈତିକ ସମୀକ୍ଷକ କହିଛନ୍ତି । ମୋଦୀଙ୍କ ଓଡିଶା ଗସ୍ତରେ ଏହା ଉପରେ ମୋହର ବାଜୁଛି ନା ରାଜ୍ୟ ରାଜନୀତି ଆଉ କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା ।