ବିଜେଡିକୁ ପୁଣି ଝଟକା, ଦଳ ଛାଡିଲେ ବିଧାୟକ ଅରବିନ୍ଦ ଢାଲି; କହିଲେ- ପୁରୁଣା ଘରକୁ ଫେରିବି


ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖଉଛି ବିଜେଡି ପାଇଁ ଚିନ୍ତା ବଢିବାରେ ଲାଗିଛି । ପୁଣି ଥରେ ବିଜେଡିକୁ ଝଟକା ଲାଗିଛି । ଗୋଟିଏ ପରେ ଗୋଟିଏ ବରିଷ୍ଠ ନେତା ଦଳ ଛାଡିବାରେ ଲାଗିଛନ୍ତି । ଏହିକ୍ରମରେ ଶନିବାର ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ଆସନ୍ତାକାଲି ବିଜେପିରେ ସେ ଯୋଗ ଦେଉଛନ୍ତି ।

ବିଜେଡିରୁ ଇସ୍ତଫା ଦେବା ପରେ ଅରବିନ୍ଦ ଢାଲି କହିଛନ୍ତି, ମୁଁ ଘରବାହୁଡା କରିବି । ଆସନ୍ତାକାଲି ବିଜେପିରେ ଯୋଗ ଦେବି । କଣ ଦାୟିତ୍ୱ ଦେବ ଦଳ ତାହା ନିଷ୍ପତି ନେବ । ନିର୍ବାଚନ ଲଢିବି କି ନ ଲଢିବି ତାହା ଦଳ ନିଷ୍ପତି ନେବ । ଲୋକଙ୍କ ମତାମତ ଗ୍ରହଣ କରି ବିଜେଡିରୁ ଛାଡିବାକୁ ନିଷ୍ପତି ନେଇଛି । କାହିଁକି ବିଜେଡି ଛାଡିଲି ଆସନ୍ତାକାଲି କହିବି । ଦଳ ଛାଡିବା ନେଇ କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ । ୩୫ ବର୍ଷ ହେଲା ରାଜନୀତିରେ ସକ୍ରିୟ ଅଛି । ସନ୍ତୁଷ୍ଟ ନାହିଁ ବୋଲି ବିଜେଡି ଛାଡିଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କରି ଇସ୍ତଫାପତ୍ର ଦେଇଛି ।

ସୂଚନାଯୋଗ୍ୟ, ଅରବିନ୍ଦ ଢାଲି ବିଜେପି-ବିଜେଡି ମେଂଟ ସରକାରରେ ମନ୍ତ୍ରୀ ଥିଲେ । ସେ ମୋଟ୍ ୬ ଥର ବିଧାୟକ ଭାବେ ନିର୍ବାଚନ ଜିତିଛନ୍ତି । ସେ ବିଜେପିରୁ ମାଲକାନଗିରି ଆସନରୁ ନିର୍ବାଚନ ଜିତି ମନ୍ତ୍ରୀ ହୋଇଥିଲେ । ଉକ୍ତ ଆସନରୁ ୧୯୯୨ରୁ ୨୦୦୦ ପର୍ଯ୍ୟନ୍ତ ବିଧାୟକ ଥିଲେ । ବର୍ତମାନ ସେ ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇ ସାରିଛନ୍ତି । ସେ ବିଜେପି ଛାଡି ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ଶେଷରେ ବିଜେଡିରେ ସାମିଲ୍ ହୋଇଥିଲେ । ଆଉ ଆଜି ବିଜେଡି ଛାଡି ନିଜର ପୁରୁଣା ଘର ବିଜେପିକୁ ଫେରିବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଚିଲିକାର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ବିଜେଡିର ଅନେକ ପୁରୁଖା ନେତା ଦଳ ଛାଡିବା ବିଜେଡିର ଚିନ୍ତାକୁ ବଢାଇ ଚାଲିଛି । ଦଳ ଭିତରେ ଅଧିକ ଅନ୍ତଦ୍ୱନ୍ଦ୍ୱ ମଧ୍ୟ ଆରମ୍ଭ ହୋଇ ଯାଇଛି । ଆଗାମୀ ଆଉ କିଛି ଦିନରେ ଦଳରୁ ଆହୁରି ନେତା ଛାଡିବାର ସମ୍ଭାବନା ରହିଛି ।