ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବ ନାହିଁ, ଏକାକୀ ନିର୍ବାଚନ ଲଢିବୁ: ବିଜୟପାଲ ସିଂ ତୋମାର


ଭୁବନେଶ୍ୱର: ବିଜେପି ଓ ବିଜେଡି ମଧ୍ୟରେ ମେଂଟ ହେବା ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋରଦାର ଚାଲିଛି । ଏପରିକି ଦୁଇ ଦଳ ମଧ୍ୟରେ ସିଟ୍ ସେୟାରିଂର ଫର୍ମୁଲା ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଆଜି ମେଂଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ଗତକାଲି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସ୍ପଷ୍ଟ ଭାବେ କହିଥିଲେ ଯେ, ବିଜେଡି ସହ ଆମର କୌଣସି ମେଂଟ ହେବନି । ଦଳ ଏକାକୀ ନିର୍ବାଚନ ଲଢିବ ।

ଆଜି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି, ମେଂଟ ଚର୍ଚ୍ଚାକୁ ବିଜେଡି ହିଁ ଆଗକୁ ବଢାଉଛି । ମୋ ଜାଣିବାରେ ମେଂଟ ନେଇ ସେଭଳି କିଛି ଆଲୋଚନା ହୋଇନି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କଥା ହୋଇଛି । ସେ ବିଷୟରେ ତ କିଛି ଆଲୋଚନା ହୋଇନି । ମୋ ଜାଣିବାରେ ଦୁଇ ଦଳ ମଧ୍ୟରେ କୌଣସି ମେଂଟ ହେଉନାହିଁ । ବିଜେପି ଏକାକୀ ନିର୍ବାଚନ ଲଢିବ । ୮୦ରୁ ଅଧିକ ବିଧାନସଭା ଓ ୧୬ ଲୋକସଭା ଆସନ ଜିତିବୁ ବୋଲି ତୋମାର କହିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବିଜେପି ସଭାପତି ମନମୋହନ ସମାଲ ମଧ୍ୟ ମେଂଟ ଚର୍ଚ୍ଚାକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଥିଲେ । ସେ କହିଥିଲେ ବିଜେଡି ସହ ଆମର କୌଣସି ମେଂଟ ନାହିଁ । ଦଳ ଏକାକୀ ନିର୍ବାଚନ ଲଢିବ । ଦଳ ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟରେ ନିର୍ବାଚନ ଲଢିବ ବୋଲି କହିଥିଲେ । ସୂତ୍ର ଅନୁଯାୟୀ, ବିଜେପି ୧୪/୧୫ ଓ ବିଜେଡି ୭/୬ ଲୋକସଭା ଆସନରେ ନିର୍ବାଚନ ଲଢିପାରେ ବୋଲି ଚର୍ଚ୍ଚା ଚାଲିଥିଲା । ସେହିପରି ବିଧାନସଭାରେ ବିଜେଡି ୧୦୧ ଓ ବିଜେପି ୪୬ ଆସନରେ ନିର୍ବାଚନ ଲଢିବା ନେଇ ଅଙ୍କକଷା ଚାଲିଥିଲା ।