ରାଜନୀତିରୁ ଗମ୍ଭୀର ଆଉଟ୍ ! ବିବାଦ ଅଡୁଆ କଲା ନା ଟିକେଟ୍ କଟିବା ଥୟ ଥିଲା


ନୂଆଦିଲ୍ଲୀ: ରାଜନୀତିରୁ ବିଦାୟ ନେଲେ ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଏ ନେଇ ପାର୍ଟି ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଦଳ କହିଛି ଯେ, ଗମ୍ଭୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖି ନିଜ ନିର୍ଣ୍ଣୟ ବିଷୟରେ ଅବଗତ କରାଇଛନ୍ତି । ଗମ୍ଭୀର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ରାଜନୀତି ଛାଡୁଥିବା ସୂଚନା ଦେଇଛନ୍ତି ।

୨୦୧୯ରେ ପାର୍ଟି ଟିକେଟରେ ନିର୍ବାଚନ ଲଢି ସାଂସଦ ହୋଇଥିବା ଗମ୍ଭୀର ରାଜନୀତିରେ ସେତେଟା ସକ୍ରିୟ ନ ଥିଲେ । କିଛି ବଛା ବଛା ସମୟରେ ପାର୍ଟି ତରଫରୁ ଆୟୋଜିତ ଅଭିଯାନ ଏବଂ ଧାରଣା ପ୍ରଦର୍ଶନରେ ସାମିଲ ହେଉଥିଲେ । ଏପରିକି ସ୍ଥାନୀୟସ୍ତରର ପାର୍ଟି ନେତାଙ୍କ ସହ ତାଙ୍କର ମତଭେଦ ମଧ୍ୟ ରହିଥିଲା । ଫଳରେ ଶୀର୍ଷ ନେତୃତ୍ୱ ତାଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ । ଲଗାତାର ମିଳୁଥିବା ଅଭିଯୋଗ ଏବଂ ତାଙ୍କର ରାଜନୀତିରେ ସକ୍ରିୟତା ଦେଖି ପାର୍ଟି ଆଗାମୀ ଲୋକସଭା ନିର୍ବାଚନରେ ପୂର୍ବ ଦିଲ୍ଲୀୂରୁ ଗମ୍ଭୀରଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦେବାକୁ ମନସ୍ଥ କରି ସାରିଥିଲା ।

ଗମ୍ଭୀରଙ୍କୁ ସ୍ପଷ୍ଟ ସନ୍ଦେଶ ଦିଆଯାଇଥିଲା ଯେ, ତାଙ୍କୁ ଏଥର ଲୋକସଭା ପାଇଁ ଟିକେଟ୍ ଦିଆଯିବ ନାହିଁ । ଏଥିପାଇଁ ନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଗମ୍ଭୀର ରାଜନୀତିରୁ ଅଲଗା ହେବାକୁ ନିଷ୍ପତି ନେଇଛନ୍ତି । ଗତ ବର୍ଷ ଏକ କାର୍ଯ୍ୟକ୍ରମରେ ସାଂସଦ ମୌତମ ଗମ୍ଭୀରଙ୍କ ସ୍ଥାନୀୟ ବିଧାୟକ ଓପି ଶର୍ମାଙ୍କ ସହ ବିବାଦ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ୍ ଥିଲେ । ଏହି ଘଟଣା ପରେ ଦିଲ୍ଲୀ ବିଜେପିର ଗୋଟିଏ ବର୍ଗ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହା ପୂର୍ବରୁ ଅନେକ ଥର ଗମ୍ଭୀରଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସେ ସ୍ଥାନୀୟ ସ୍ତରରେ ପାର୍ଟି ନେତାଙ୍କୁ ଅଣଦେଖା କରନ୍ତି ଏବଂ ପାର୍ଟି ଆୟୋଜନରେ ବହୁତ କମ ସାମିଲ୍ ହୁଅନ୍ତି ।