ବିଜେଡିକୁ ପୁଣି ଝଟକା, ବିଜେପିରେ ମିଶିଲେ ୬ ଥରର ବିଧାୟକ ଅରବିନ୍ଦ ଢାଲି, କହିଲେ- ଶାସକ ଦଳର ନେତାମାନେ ଶ୍ଵାସରୁଦ୍ଧ ହୋଇଗଲେଣି


ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖଉଛି ଶାସକ ବିଜୁ ଜନତା ଦଳକୁ ଝଟକା ଲାଗିବାରେ ଲାଗିଛି। ଏହି କ୍ରମରେ ବିଜେପିର ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ରାଜ୍ୟ ନିର୍ବାଚନୀ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ଉପସ୍ଥିତିରେ  ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ୬ ଥରର ବିଧାୟକ ଅରବିନ୍ଦ ଢାଲି। ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଡ଼ି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଦିଗପହଣ୍ଡିର  ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନ ବି ବିଜେପିରେ ସାମିଲ୍ ହୋଇଛନ୍ତି। ଏହି ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମୀର ମହାନ୍ତି, ପ୍ରକାଶ ମିଶ୍ର, ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ।

ବିଜେପିରେ ମିଶିବା ପରେ ଅରବିନ୍ଦ ଢାଲି କହିଛନ୍ତି, ବିଜେପି ଓଡ଼ିଶାରେ ନିଶ୍ଚିତ ସରକାର ଗଢିବ। ଯେଭଳି ଭାବେ ଲୋକେ ବିଜେପିରେ ମିଶୁଛନ୍ତି ଲାଗୁଛି ଏଥର ୧୦୦ରୁ ଅଧିକ ସିଟ୍ ପାଇବୁ। ଶହେରୁ ଅଧିକ ବିଧାନସଭା ଓ ସବୁ ଲୋକସଭା ଆସନ ଜିତିବୁ। ରାଜ୍ୟରେ ବିଜେପି ସ୍ଥିର ସରକାର ଗଠନ କରିବ। ବର୍ତ୍ତମାନର ଶାସନ ରାଜ୍ୟ ପାଇଁ ଆଦୌ ଉପଯୁକ୍ତ ନୁହେଁ। ବିଜେଡିରେ ରହି ନେତାମାନେ ଶ୍ଵାସରୁଦ୍ଧ ହୋଇଗଲେଣି। ବିଜେଡିରେ ବରିଷ୍ଠ ନେତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ମିଳୁନି। ଏବେ ମଙ୍ଗ ଧରିଥିବା ଯୁବକମାନେ ଭୁଲି ଯାଇଛନ୍ତି ଯେ, ଓଲ୍ଡ ଇଜ୍ ଗୋଲ୍ଡ। ଜଣେ  ବିଧାୟକ ଥିବା ସ୍ଥଳେ ଆଉ ୩  ଜଣଙ୍କୁ ପ୍ରୋଜେକ୍ଟ କରୁଛନ୍ତି। ମୋ ବିରୋଧରେ ସମାନ୍ତରାଳ ସଂଗଠନ ଛିଡା କଲେ। ଯେଉଁଠି ମାନ ସମ୍ମାନ ନାହିଁ, ସେଠି ସ୍ଥାନ ଛାଡ଼ିଦେବା ଉଚିତ। ସେଥିପାଇଁ ଘରବାହୁଡ଼ା କଲି। ବିଜେପିରେ ଥିଲେ ଏବଂ ଶେଷ ଯାଏଁ ରହିବି।

ସୂଚନାଯୋଗ୍ୟ, ନିର୍ବାଚନ ପାଖେଇବା ସହ ବିଜେଡିରୁ ବିଧାୟକଙ୍କ ଦଳ ଛାଡ଼ିବା ପର୍ବ ଜାରି ରହିଛି। ଜଣେ ପରେ ଜଣେ ବିଧାୟକ ଦଳ ଛାଡ଼ିବାରେ ଲାଗିଛନ୍ତି। ଏହା ପୂର୍ବରୁ ଗତ ଗୁରୁବାର ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦେବ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡ଼ିଥିଲେ। ବରିର ପୂର୍ବତନ ବିଧାୟକ ଦେବାଶିଷ ନାୟକ ମଧ୍ୟ ବିଜେଡି ଡେଇଁ ସାରିଛନ୍ତି। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ଆଗାମୀ ଦିନରେ ଆହୁରି ବିଜେଡି ନେତା ବିଜେପିରେ ସାମିଲ  ହେବାକୁ ଯାଉଛନ୍ତି।