କଟକ: କଟକ-ବାରବାଟୀ ନିର୍ବାଚନ ଅନିୟମିତତା ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ଝଟକା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ଅପରାଧିକ ମାମଲାରେ ସବିଶେଷ ତଥ୍ୟ ଦେଇ ନ ଥିବାରୁ ଅସିଦ୍ଧ ଘୋଷଣା କରାଯାଇଛି । ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି, ଏହା ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଥିଲା । କିନ୍ତୁ ଏହା ଆଗାମୀ ନିର୍ବାଚନରେ ପ୍ରଭାବିତ କରିବ ନାହିଁ । ଆବଶ୍ୟକ ପଡିଲେ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯିବି ।
ମୋକିମ କହିଛନ୍ତି, ରାୟର କପି ପାଇବା ପରେ ତର୍ଜମା କରିବି । ଦରକାର ପଡିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବି । କିନ୍ତୁ ହାଇକୋର୍ଟଙ୍କ ରାୟ ଆଗାମୀ ନିର୍ବାଚନରେ ପ୍ରଭାବିତ କରିବ ନାହିଁ । ଏଥର ନିର୍ବାଚନରେ ମୁଁ ପ୍ରାର୍ଥୀ ହେବା ନିଶ୍ଚିତ ବୋଲି ମୋକିମ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ମୋକିମ ନିଜ ବିରୋଧରେ ରୁଜୁ ଅପରାଧିକ ମାମଲାର ସଂପୂର୍ଣ୍ଣ ତଥ୍ୟ ଦେଇ ନ ଥିଲେ । ସମସ୍ତ ତଥ୍ୟକୁ ଠିକ୍ ଭାବେ ରିଟର୍ଣ୍ଣିଂ ଅଫିସର ଯାଂଚ କରି ନ ଥିବା ମଧ୍ୟ ଜଣା ପଡିଛି । ଯାହାକୁ ଆଧାର କରି ଆଜି ହାଇକୋର୍ଟ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ପୂର୍ବରୁ ଅନିୟମିତତା ମାମଲାର ଗୁରୁତ୍ୱ ନ ଥିବା ଦର୍ଶାଇ ଆବେଦନକୁ ଖାରଜ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମହମ୍ମଦ ମୋକିମ । ହେଲେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ । ଏହା ସହିତ କଂଗ୍ରେସ ବିଧାୟକଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଥିଲେ।
ଗତ ନିର୍ବାଚନରେ ବିଜେଡିର ତୁଙ୍ଗ ନେତା ଦେବାଶିଷ ସାମନ୍ତରାୟ କଟକ-ବାରବାଟୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କଠୁ ପରାଜିତ ହୋଇଥିଲେ । ଏହା ପରେ ସେ ମୋକିମଙ୍କ ବିରୋଧରେ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ସେ ଆବେଦନରେ ଉଲ୍ଲେଖ କରିଥିଲେ ଯେ, ମୋକିମ ନାମାଙ୍କନ ପତ୍ରରେ ନିଜ ବିରୋଧରେ ଥିବା ଅପରାଧିକ ମାମଲାର ସଂପୂର୍ଣ୍ଣ ତଥ୍ୟ ଦେଇ ନାହାନ୍ତି । ଦେବାଶିଷଙ୍କ ଆବେଦନକୁ ଗ୍ରହଣ କରି ଏହା ଉପରେ ଶୁଣାଣି କରିଥିଲେ ହାଇକୋର୍ଟ । ଆଉ ଆଜି ଏହାର ରାୟ ପ୍ରକାଶ ପାଇଛି ଏବଂ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଇଛି ।