ଆଜି ଆସୁଛନ୍ତି ମୋଦୀ, ୨ଟା ୪୦ରେ ପହଂଚିବେ ଭୁବନେଶ୍ୱର, ଓଡିଶାକକୁ ଭେଟି ଦେବେ ୧୯ ହଜାର କୋଟିର ପ୍ରକଳ୍ପ


ଭୁବନେଶ୍ୱର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କର ଏହି ଗସ୍ତ ରାଜ୍ୟ ରାଜନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଓଡିଶାର ଭବିଷ୍ୟତ କେଉଁଆଡେ ଗତି କରିବ ଆସନ୍ତାକାଲି ମୋଦୀଙ୍କ ଗସ୍ତ ଏବଂ ତାଙ୍କ ଭାଷଣରୁ ଜଣା ପଡିବ । ତେବେ ପିଏମଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ସରିଛି । ଏହି ଗସ୍ତରେ ପିଏମ ମୋଦୀ ଯାଜପୁର ଚଣ୍ଡିଖୋଲ ବେଣାପୁରଠାରେ ୧୯ ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ୍ କରିବେ । ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପିଏମ ମୋଦୀ । ମୋଟାମୋଟି ଓଡିଶାରେ ୩ ଘଂଟା ରହିବେ ମୋଦୀ ।

ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ୨ଟା ୪୦ରେ ପ୍ରଧାନମନ୍ତ୍ରୀ ନରନ୍ଦ୍ରେ ମୋଦୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲର ବେଣାପୁରଠାରେ ଆୟୋଜିତ ସଭାସ୍ଥଳକୁ ଯିବେ । ଏହା ପରେ ୩ଟା ୩୦ରୁ ୪ଟା ମଧ୍ୟରେ ୧୯ ହଜାର ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ୍ କରିବେ । ଏଥିରେ ରହିଛି ତୈଳ ଓ ଗ୍ୟାସ୍‌, ରେଳବାଇ, ସଡକ, ପରିବହନ, ରାଜପଥ ଏବଂ ଅନେକ ପ୍ରକଳ୍ପ । ଏହା ବ୍ୟତୀତ ୧୬୨ କିଲୋମିଟର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ ଦୋହରୀକରଣର ଉଦ୍‌ଘାଟନ । କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ ଏବଂ ଆନନ୍ଦ ବିହାର ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ରେଳ ଷ୍ଟେସନରୁ ଶୁଭାରମ୍ଭ କରିବା ସହ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ହରିଦାସପୁର-ପାରାଦୀପ ରେଳପଥରେ ଯାତ୍ରୀବାହୀ ଟ୍ରେନ, ଯାଜପୁର ଠାରୁ ଉତ୍ତରପ୍ରଦେଶର ଦାଦ୍ରି ପର୍ଯ୍ୟନ୍ତ କଣ୍ଟେନର ଟ୍ରେନ୍ ସେବାର ଶୁଭାରମ୍ଭ । ଏଥି ସହ ଚଣ୍ଡିଖୋଲ ପାରଦୀପ ୮ଥାକିଆ ଜାତୀୟ ରାଜପଥର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପୁଣି ୪ଟା ୧୫ରୁ ୫ଟା ପର୍ଯ୍ୟନ୍ତ ଜନସଭାକୁ ସମ୍ବୋଧିତ କରିବେ ।

ତେଲେଙ୍ଗାନାରେ ନିଜର କାର୍ଯ୍ୟକ୍ରମ ସରିବା ପରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ । ମୋଦୀଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀ ବେଣାପୁରଠାରେ ସମାବେଶସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । ବେଣାପୁର ପଡିଆରେ ଅସ୍ଥାୟୀ ହେଲିପ୍ୟାଡ କରାଯାଇଛି । ଡିଜିପିଙ୍କ ସହ କେନ୍ଦ୍ରାଂଚଳ ଆଇଜି ଆଶିଷ ସିଂ, ଯାଜପୁର ଏସପି ଭିନିତ ଅଗ୍ରୱାଲ ସମେତ ବହୁ ବରିଷ୍ଠ ଅଧିକାରୀ ଆୟୋଜନସ୍ଥଳରେ ଉପସ୍ଥିତ ଥିଲେ । ସେହିପରି କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ରାଜଧାନୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସଭିଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଚ୍ଚ ୫ ଓଡିଶା ଗସ୍ତ ଉପରେ ରହିଛି । ଆଉ ସେହି ଦିନ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ବଡ ଧୁମଧାମର ସହ ପାଳନ କରୁଛି ବିଜେଡି । ଆଉ ଠିକ୍ ସେହି ଦିନ ମୋଦୀ ଓଡିଶା ଆସିବାକୁ ସଂଯୋଗ ବୋଲି କୁହାଯାଇ ପାରିବ ନାହିଁ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ଘୋଷଣା କରି ପାରନ୍ତି କିମ୍ବା ମେଂଟ ଉପରେ କିଛି ବଡ ନିଷ୍ପତି ନେଇ ପାରନ୍ତି । ମୋଦୀଙ୍କ ଗସ୍ତ ବର୍ତମାନ ଓଡିଶା ରାଜନୀତି କେଉଁ ଦିଗକୁ ମୋଡ ନେବ ତା ଉପରେ ସଭିଙ୍କ ନଜର ରହିଛି ।

ମେଂଟ ଚର୍ଚ୍ଚା ପରଠୁ ରାଜ୍ୟ ରାଜନୀତିରେ ନିରବତା ଛାଇ ଯାଇଛି । କାରଣ ମେଂଟ ହେଲେ କିଏ କେଉଁଠୁ ପ୍ରାର୍ଥୀ ହେବ ତାହା କାହାକୁ ବି ଜଣା ନାହିଁ । ବିଶେଷ କରି ଦଳ ଡିଆଁ କରିଥିବା ନେତାଙ୍କ ଚିନ୍ତା ଅଧିକ ବଢି ଯାଇଛି । କିଏ ବିଜେଡିକୁ ଗାଳି କରି ବିଜେପିରେ ମିଶିଥିବା ବେଳେ କିଏ ପଦ୍ମ ଛାଡି ଶଙ୍ଖ ଫୁଙ୍କିଛନ୍ତି । ଆଉ କିଏ କଂଗ୍ରେସ ଛାଡି ବିଜେପି ଓ ବିଜେଡିରେ ସାମିଲ୍ ହୋଇଛନ୍ତି । ଯଦି ମେଂଟ ହୁଏ ତେବେ ସେମାନଙ୍କର ରାଜନୈତିକ ଭବିଷ୍ୟତ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେବ । ଆସନ୍ତାକାଲି ବିଜେଡି ପ୍ରତି ନିରବ ରହି ବିଜେପି କର୍ମୀଙ୍କୁ ନିରୁତ୍ସାହିତ କରିବେ ନା ଶାସକ ଦଳକୁ ଶାଣିତ ସ୍ୱରରେ ଟାର୍ଗେଟ୍ କରି ରାଜ୍ୟ ବିଜେପିକୁ ବଳ ଦେବେ ତା ଉପରେ ସଭିଙ୍କ ନଜର ।